Latest Odisha News

ଦିନକ ପରେ ବିଧାନସଭା, ଚାଲିଛି ରଣନୀତି ପ୍ରସ୍ତୁତ

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ଶାସନରେ ପ୍ରଥମ ବିଧାନସଭା । ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୨ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଚାଲିଛି ବିଭିନ୍ନ ଦଳର ରଣନୀତି ପ୍ରସ୍ତୁତି  । ତେବେ ଶାସକ ଦଳ ଭାବରେ ପ୍ରଥମ ଥର ପାଇଁ ବିଧାନସଭାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରି କରିବେ ମୋହନ ସରକାର । ଯାହା ନିହାତି ଭାବରେ ଆହ୍ବାନ ପୂର୍ଣ୍ଣ । କାରଣ ପ୍ରଥମ ସରକାରଙ୍କ ପ୍ରଥମ ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି । ନିର୍ବାଚନୀ ପ୍ରଚାରରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତିକୁ କିପରି ଭାବରେ ପ୍ରସ୍ତାବରେ ଆଗତ କରିବେ ଓ ଓଡିଶା ବିକାଶ ଧାରାର କ’ଣ ଆଭିମୁଖ୍ୟ ରହିବ ତାହା ଉପରେ ସମସ୍ତଙ୍କ ତୀକ୍ଷ୍ଣ ନଜର । ଏହାସହିତ ୨୪ ବର୍ଷ ଧରି ଓଡିଶା ଗାଦି ମାଡିବସିଥିବା ବିଜେଡି ସରକାର ଏବେ ବିରୋଧୀ ଗାଦିରେ । ଯାହା ଏଥର ବିଧାନସଭା ଲଢେଇକୁ କେବେ ବି ସହଜ ହେବାକୁ ଦେବ ନାହିଁ ।

ସେପଟେ ପ୍ରଥମ ଥର ବିରୋଧୀ ହୋଇ ବିଧାନ ସଭାରେ ଗର୍ଜିବ ବିଜେଡି । ଲୋକଙ୍କ ସ୍ବାର୍ଥ ନେଇ କାଳେ ସରକାରଙ୍କୁ ତାଗିଦ୍ କରିବ । ଏଥିପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ବ୍ୟବସ୍ଥା କରିସାରିଲେଣି । ବିଧାନସଭାରେ ବିଭିନ୍ନ ବିଭାଗ ନେଇ ପୁଙ୍ଖାନୁପୁଙ୍ଖ ତଥ୍ୟ ସହିତ ଶାସକଙ୍କୁ ଘେରିବା ପାଇଁ ନବୀନ ପ୍ରସ୍ତୁତ କରିଛନ୍ତି ନିଜର ଛାୟା କ୍ୟାବିନେଟ୍ । ଏଥିରେ ମୋଟ ୪୦ ଟି ବିଭାଗ ପାଇଁ ୫୦ ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ । ଅର୍ଥାତ୍ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗରେ ବିଭାଗୀୟ ଜଣେ ମନ୍ତ୍ରୀଙ୍କୁ ଜଗିବେ ବିଜେଡିର ଦୁଇ ମନ୍ତ୍ରୀ । ଯାହା ମୋହନ ସରକାରଙ୍କ ପାଇଁ ନିହାତି ଭାବରେ ବଡ ଚ୍ୟାଲେଞ୍ଚ । ଖାଲି ସେତିକି ନୁହେଁ କିଭଳି ଜଣେ ସକ୍ରିୟ ବିରୋଧୀ ହୋଇ ଉଭୟ ବିଧାନସଭା ଓ ରାଜ୍ୟସଭାରେ ଶାସକଙ୍କୁ ଘେରିବେ ସେନେଇ ସୁପ୍ରିମୋ ନବୀନ ତାଙ୍କର ରୋଡମ୍ୟାପ ଜାରି କରିଛନ୍ତି ।

ଅନ୍ୟପଟରେ ବିରୋଧୀ ଦଳ ଭାବରେ ଅତ୍ୟନ୍ତ ଦୟନୀୟ ସ୍ଥିତି ହେଉଛି କଂଗ୍ରେସର । ବିଧାନସଭାକୁ ଆଉ ଦିନଟେ ବାକି ଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଜର ବିଧାୟକ ଦଳ ନେତା ବାଛି ପାରିଲାନି କଂଗ୍ରେସ । ଯାହା ରାଜ୍ୟ କଂଗ୍ରେସର ସ୍ଥିତି ପାଇଁ ଅତ୍ୟନ୍ତ ନିନ୍ଦନୀୟ । ତଥାପି କିଛି ବରିଷ୍ଠ କଂଗ୍ରେସ ନେତା ବିଧାନସଭାରେ ବିଜେଡି ସମର୍ଥନରେ ଆସି ଶାସକ ବିଜେପିକୁ ଘେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ଏସବୁ ମଧ୍ୟରେ ଏଥର ବିଧାନସଭା ଗୃହର ଦୃଶ୍ୟ ରୋଚକ ହେବ । ଶାସକ ଗାଦିରେ ବିରୋଧୀ, ଆଉ ବିରୋଧୀ ଗାଦିରେ ପୂର୍ବ ଶାସକଙ୍କ ଗର୍ଜ୍ଜନ, ଏଥର ବିଧାନସଭା ମାହୋଲ ଦେଖିବା ସାପେକ୍ଷ ।

Comments are closed.