Latest Odisha News

ଓଁକାର ମନ୍ଦିର ପୂଜକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର: ଓଁକାର ମନ୍ଦିର ପୂଜକଙ୍କ ଆତ୍ମହତ୍ୟା। ବ୍ୟାସନଗର ପୌରାଞ୍ଚଳ ନୂଆ ମାର୍କେଟସ୍ଥିତ ଓଁକାର ମନ୍ଦିର ପୂଜକ ଆତ୍ମହତ୍ୟା କରିଛନ୍ତି। ପୂଜକ ଜଣଙ୍କ ଘର କୁଆଖିଆ ଥାନା ଅନ୍ତର୍ଗତ ନଗୁଆଁ ଗ୍ରାମର। ସେ ଦେବ ରଞ୍ଜନ କରଙ୍କ ପୁଅ ବିଶ୍ୱରଞ୍ଜନ ଓରଫ୍ ମଣ୍ଟୁ (୨୦) ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଆଜି ସକାଳୁ ମନ୍ଦିରରେ ପୂଜା ପାଠ କରିଥିବା ବେଳେ ମଧ୍ୟାହ୍ନରେ ନୀତି କରିବା ପରେ ମନ୍ଦିର ପରିସରରେ ଥିବା ବିଶ୍ରାମ କକ୍ଷରେ ବିଶ୍ରାମ ନେଇଥିଲେ ମଣ୍ଟୁ। ହେଲେ ସନ୍ଧ୍ୟା ପୂଜା ସମୟ ହେବାରୁ ସନ୍ଧ୍ୟା ଆଳତି କରିବାକୁ ଆସିଥିବା ଭକ୍ତମାନେ ପୂଜକ ମଣ୍ଟୁ ନନାଙ୍କୁ ଖୋଜିଥିଲେ। ବିଶ୍ରାମ କକ୍ଷ ଫାଟକ ଭିତରୁ ବନ୍ଦ ଥିବାରୁ କବାଟ ବାଡେଇ ଡାକିଥିଲେ ମଧ୍ଯ କୌଣସି ଉତ୍ତର ମିଳିନଥିଲା। ଫୋନକୁ ରିଙ୍ଗ କରିଥିଲେ ମଧ୍ୟ ରିସିଭ୍ କରିନଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ଖବର ପାଇ କମିଟି କର୍ମକର୍ତ୍ତା ମନ୍ଦିର ପରିସରରେ ପହଞ୍ଚି ଫାଟକ ଭାଙ୍ଗି ଦେଖନ୍ତି ତ ଏକ ଲୁଗାରେ ଫ୍ୟାନରେ ଝୁଲୁଥିବା ଦେଖି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।

ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ହେଲେ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ମନ୍ଦିର ପୂଜକ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏସମ୍ପର୍କରେ ମୃତ ପୂଜକ ମଣ୍ଟୁଙ୍କର ବଡ଼ ଭାଇ ସୌମ୍ୟ ରଞ୍ଜନ କର ଥାନାରେ ଅଭିଯୋଗ କରିଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.