Latest Odisha News

BREAKING NEWS

ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂ, ଖୋର୍ଦ୍ଧାରେ ପ୍ରସ୍ତୁତି ଶେଷ

ଖୋର୍ଦ୍ଧା: ରାତି ପାହିଲେ ରାଜ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଭୋଟ । ତୃତୀୟ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୬ଟି ସଂସଦୀୟ କ୍ଷେତ୍ର ପାଇଁ ୬୪ ଜଣ ପ୍ରାର୍ଥୀ ଓ ୪୨ଟି ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ । ଗଣତାନ୍ତ୍ରିର ଏହି ମହାନ ପର୍ବରେ ଯୋଗଦାନ ଦେଇ ମତଦାନ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ ରାଣା ।

ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରାୟ ୧୫ ହଜାର ପୁଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି । ଜିଲ୍ଲାର ୧୯୨୩ଟି ବୁଥ୍‌ ମଧ୍ୟରୁ ୫୨୫ଟି କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଖି ବୁଥ୍‌, ୮ଟି ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ଯୁବ ଅଧିକାରୀମାନଙ୍କ ଦ୍ୱାରା ପରିଚାଳିତ ୪୦ଟି ଯୁବ ବୁଥ୍‌ ଥିବାବେଳେ ୩୮୪ଟି ଆଦର୍ଶ ଓ ଇକୋ-ଫ୍ରେଣ୍ଡଲି ବୁଥ୍‌ ରହିଛି । ବିଗତ ନିର୍ବାଚନରେ ଭୁବନେଶ୍ୱରରେ ନିମ୍ନ ମତଦାନ ହାର ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହାର କମ୍‌ ରହିଥିଲା । ନିଜର ପରିବାର, ପଡ଼ୋଶୀ ଓ ସାଙ୍ଗସାଥିମାନଙ୍କୁ ସାଥିରେ ଧରି ଆସନ୍ତା ୨୫ ତାରିଖରେ ମତଦାନ କରିବାକୁ ଭୋଟରମାନଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା।

ଭୋଟରମାନେ ଭୋଟର ହେଲପ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ଭୋଟର ତାଲିକାରେ ଥିବା ନିଜର କ୍ରମିକ ଓ ଭାଗ ସଂଖ୍ୟା ଜାଣିବାର ସୁବିଧା ରହିଛି । ସେହିଭଳି ଜିଲ୍ଲାର ମତଦାତାମାନେ ‘ମୋ ବୁଥ୍‌’ ଆପ୍‌ ମାଧ୍ୟମରେ ବୁଥ୍‌ର ଅବସ୍ଥିତି, ସେଠାକୁ ଯିବା ପାଇଁ ମାର୍ଗ ଏବଂ ସମାନ ସମୟ ମଧ୍ୟରେ ଧାଡ଼ିରେ ଛିଡ଼ା ହୋଇଥିବା ମତଦାତାଙ୍କ ସଂଖ୍ୟା ଜାଣିପାରିବେ । ଏତଦ୍‌ବ୍ୟତୀତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ସର୍‌ବତ, ଶିଶୁମାନଙ୍କ ପାଇଁ କ୍ରେଚ୍‌, ପ୍ରତୀକ୍ଷା ଗୃହ, ଶୌଚାଳୟ, ଭିନ୍ନକ୍ଷମ ବନ୍ଧୁମାନଙ୍କ ପାଇଁ ର୍ୟାମ୍ପ ଓ ହୁଇଲ୍‌ ଚେୟାର, ବୟସ୍କମାନଙ୍କ ପାଇଁ ଚେୟାରର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଶ୍ରୀ ରାଣା ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପ୍ରେରଣାଦାୟୀ ସୂଚନା ପ୍ରଦାନ କରିଛନ୍ତି ।

 

 

Leave A Reply

Your email address will not be published.