Latest Odisha News

BREAKING NEWS

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେଘନାଦ ପାଚେରୀ ମରାମତି କାମ ଆରମ୍ଭ

ପୁରୀ : ସଙ୍କଟରେ ରହିଛି ମରହଟ୍ଟା ଶାସନ ଅମଳର ଐତିହ୍ୟ ମେଘନାଦ ପାଚେରୀ। ଖବର ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଆଗେଇଛି ଶ୍ରୀମନ୍ଦିର ପ୍ରଶାସନ। ଦେଢ଼ ବର୍ଷ ତଳୁ ମେଘନାଦ ପାଚେରୀରେ ବିଭିନ୍ନ ସ୍ଥାନରେ ପାଣି ଝରୁଥିବା ବେଳେ ଆନନ୍ଦ ବଜାର ଡ୍ରେନେଜର ସୁଧାର ପାଇଁ ଚିଠି କରି ଅବଗତ କରାଇ ଆସିଛି ଏଏସଆଇ। ଏବେ ଏଏସଆଇ ସହ ସହଯୋଗ ରକ୍ଷା କରି ଶ୍ରୀମନ୍ଦିର ପ୍ରଶାସନର ୱାର୍କସ୍ ଡିପାର୍ଟମେଣ୍ଟ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ ହୋଇଛି କାମ । ତେବେ ଆନନ୍ଦବଜାର ଡ୍ରେନେଜରେ  ଖୁବ୍ ଶୀଘ୍ର ସୁଧାର ଆଣିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଟେଣ୍ଡର କରାଯାଇଛି। ଡ୍ରେନେଜରେ ପରେ  ଆନୁସାଙ୍ଗିକ ମରାମତି ସରିଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଯୁଦ୍ଧକାଳୀନ ଭିତ୍ତିରେ ଏଏସଆଇ ସହ ସହଯୋଗ ରକ୍ଷା କରି ଶ୍ରୀମନ୍ଦିର ପ୍ରଶାସନର ୱାର୍କ୍ସ୍ ଡିପାର୍ଟମେଣ୍ଟ ବାଉଁଶ ଭାରା ବାନ୍ଧି କାର୍ଯ୍ୟ ଆରମ୍ଭ କରିଛି। ତ୍ୱରିତ ପଦକ୍ଷେପ ନେଇ ଲାଗିଥିବା ଶିଉଳି ଗୁଡ଼ିକ ସଫା କରିବା ସହ ଏଏସଆଇର ପ୍ରାରମ୍ଭିକ ପ୍ରକ୍ରିୟା ଅନୁଯାୟୀ ଜଏଣ୍ଟ ସିଲିଂ କାମ କରାଯାଉଅଛି। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଆନନ୍ଦ ବଜାର ଡ୍ରେନେଜକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସଫା କରାଯିବ। ସେପଟେ ମୂଳ ସରଞ୍ଚନା ସ୍ଥିରତା ରହିଛି କହିଛନ୍ତି ଏଏସଆଇ ଆସିଷ୍ଟାଣ୍ଟ କଞ୍ଜର୍ଭେଟର। ସ୍ଥାୟୀ ସମାଧାନ ପାଇଁ କିନ୍ତୁ ଆନନ୍ଦ ବଜାରରେ ଡ୍ରେନେଜ ସିଷ୍ଟମରେ ସୁଧାର ଆଣିବାର ଆବଶ୍ୟକତା ରହିଛି। ଆନନ୍ଦ ବଜାରରେ ଗହଳି ହେଲେ ପାଣି ବ୍ୟବହାର ବଢିବା ସହ ନିଷ୍କାସନ ସଠିକ୍ ଭାବରେ ହୋଇ ପାରୁନଥିବାରୁ ଏହା କାନ୍ଥରେ ସୋକ୍ କରୁଛି। ଡ୍ରେନେଜରେ ସୁଧାର ଆସିବା ପରେ ବୈଷୟିକ ଯାଞ୍ଚ ସହ କେମିକାଲ ୱାସିଂ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟରେ ଡ୍ରେନେଜର ସ୍ଥାୟୀ ସମାଧାନ ପାଇଁ ଅତୀତରେ ହୋଇଥିବା ସିମେଣ୍ଟ ଡ୍ରେନକୁ ପରିବର୍ତ୍ତନ କରି ପିଭିସି କିମ୍ବା କଂକ୍ରିଟ ଡ୍ରେନେଜ ସିଷ୍ଟମ କରିବାକୁ ଦାବି ହୋଇଛି । ଯାହା ଉପରେ ଧ୍ୟାନ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଶ୍ରୀମନ୍ଦିର ଟେକ୍ନିକାଲ ଟିମ୍ ଯାଞ୍ଚ କରିବା ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି।

ପ୍ରକାଶଥାଉକି, ଅତୀତର ଭୁଲ କାରଣରୁ ଏଭଳି ଘଟିଥିବା ଆଇନ ମନ୍ତ୍ରୀ କହିଥିବା ବେଳେ ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ଓ ଖନନ ସମୟରେ ବ୍ୟବହୃତ ମେସିନ ପ୍ରଭାବରୁ ମେଘନାଦ ପାଚେରୀରେ ପ୍ରଭାବ ପଡ଼ିଛି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ,ସେବାୟତ ଓ ସାଧାରଣ ଲୋକେ ।

ପୁରୀରୁ ସନ୍ତୋଷ କୁମାର ଦାସଙ୍କ ରିପୋର୍ଟ, ଓଡ଼ିଶା ସମ୍ବାଦ

Leave A Reply

Your email address will not be published.