Latest Odisha News

BREAKING NEWS

ଟଙ୍କା ପାଖରେ ହାର ମାନିଲା ମାନବିକତା, ମରିଗଲା ବଞ୍ଚିବାର ଭରପୁର ଇଚ୍ଛା

ନବରଙ୍ଗପୁର(ଓଡ଼ିଶା ସମ୍ବାଦ): ଶୋଇଗଲା ଦୂତିକା । ସବୁଦିନ ପାଇଁ  । ଜୀବନ ଯୁଦ୍ଧରେ ଲଢି ଲଢି ଥକିଗଲା  ।  ୧୯ ବର୍ଷର ଯୁବତୀ । ମନରେ ବଞ୍ଚିବାର ଭରପୁର ଇଚ୍ଛା ।  କିନ୍ତୁ ଅଭାବ ସହ ଲଢି ପାରି ନ ଥିଲା ।   ଅଭାବ ଜିତିଗଲା  । କେଇଟା ଟଙ୍କା ପାଖରେ ହାର ମାନିଗଲା ମାନବିକତା । ପଇସା ପାଖରେ ଫିକା ପଡିଗଲା ସ୍ନେହ, ମମତା, ସମ୍ପର୍କ ।  ମାତ୍ର ୧୫ ହଜାର ଟଙ୍କା ପାଇଁ  ଡାକ୍ତର ଅଧା ଚିକିତ୍ସାରୁ ଫେରାଇ ଦେଲେ ।  ସେତିକି ଟଙ୍କା   ପାଇଁ ବାପା-ମା’ଙ୍କ ସଂଘର୍ଷ ଆଉ ଦେଖିପାରିଲାନି ସେ । ଅଭିମାନରେ ଚାଲିଗଲା । ଏ  ଦୁଃଖଦ ଖବର ଆସିଛି ନବରଙ୍ଗପୁର ଜିଲ୍ଲାରୁ।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାସାରୁ ଗାଁର ଜେମା ଯାନୀ ଓ ଚଂଚଳା ଯାନୀଙ୍କ ବଦଝିଅ ଦୁତିକା  । ବିବାହର କିଛିଦିନ ପରେ ଦୁତିକାର ବାମପାର୍ଶ୍ଵ ଗାଲ ଅସ୍ୱାଭାବିକ ଭାବରେ ବଢିଥିଲା,ଯନ୍ତ୍ରଣାରେ ଛଟପଟ ହେଉଥିଲା ଦୁତିକା । ଦୁତିକାର ଏମିତି ଅବସ୍ଥା  ଦେଖି ସ୍ୱାମୀ ଦୁତିକାକୁ ତା ମାଆ ଘରେ ଛାଡ଼ିଦେଇ ଚାଲିଗଲା।

ଗରିବ ବାପା-ମାଆ ନିଜ ଶକ୍ତି ଅନୁସାରେ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।  ହେଲେ ଡାକ୍ତର କଟକ ନେବାପାଇଁ କହିବାରୁ ଅର୍ଥ ଅଭାବ କାରଣରୁ ଘରକୁ ଫେରେଇ ଆଣିଲେ । ଏହି ଖବର  ଓଡିଶା ସମ୍ବାଦରେ ପ୍ରକାଶ ପାଇବା ପରେ ଦୁତିକାଙ୍କୁ ସହାୟତା କରିବା ଲାଗି  ଜିଲ୍ଲା ସ୍ଵାସ୍ଥ୍ୟବିଭାଗ ଆଗେଇ ଆସିଥିଲା । ବିଜୁସ୍ୱାସ୍ଥ୍ୟ କାର୍ଡ ଜରିଆରେ ଦୁତିକାଙ୍କୁ ବିଶାଖାପଟଣାର ଏକ ଘରୋଇ ମେଡିକାଲକୁ ପଠାଯାଇଥିଲା।

ସେଠାରେ ପ୍ରାୟ ଏକ ମାସ ପରୀକ୍ଷା ନିରୀକ୍ଷା କରିବା ପରେ ୧୫ ହଜାର ଟଙ୍କା ପଇଠ କଲେ ଯାଇ ଦୁତିକାଙ୍କ ଅସ୍ତ୍ରୋପଚାର ହେବ ବୋଲି କହିଥିଲେ ଡାକ୍ତର  ।  ତେଣୁ ଦୁତିକାଙ୍କୁ ଘରକୁ ନେଇଯାଅ, ଟଙ୍କା ଧରି ଆସିବ ବୋଲି ଡାକ୍ତରଖାନା କତ୍ତୃପକ୍ଷ କହିଥିଲେ । ନିରାଶ ହୋଇ ଦୁତିକାଙ୍କୁ ବାପାମାଆ ଝିଅକୁ ଘରକୁ ଫେରାଇ ଆଣିଥିଲେ।

ପ୍ରଥମଥର ଲୋକଙ୍କ ଠାରୁ ଧାରଉଧାର କରି ୧୭ ହଜାର ଟଙ୍କା ସଂଗ୍ରହ କରି ଭିଶାଖାପଟଣା ଯାଇଥିଲେ । ଏବେ ପୁଣି ୧୫  ହଜାର ଟଙ୍କା ଯୋଗାଡ଼ କରିବା ବାପାମାଆଙ୍କ ପକ୍ଷେ ସମ୍ଭବ ନଥିଲା। ତଥାପି ବହୁ କଷ୍ଟରେ,ବହୁ କାକୁତିମିନତୀ ପରେ ଲୋକଙ୍କ ଗୋଡ଼ହାତ ଧରି ୧୫ ହଜାର ଟଙ୍କା ଯୋଗାଡ଼ କରିଥିଲେ ।  ଦୁତିକାଙ୍କୁ ଭିଶାଖାପଟଣା ନେବା ପାଇଁ ବାହାରି ଥିଲେ ।

ହେଲେ ଭାଗ୍ୟ ଆଉ ଭଗବାନ ସାଥ ଦେଇ ନ ଥିଲେ । ଆଉ ଡାକ୍ତରଖାନା ଯାଇ ପାରି ନ ଥିଲେ ଦୂତିକା । ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ।  ବାପା-ମା’ ବହୁ କଷ୍ଟରେ ଯୋଗାଡ଼ କରିଥିବା  ୧୫ ହଜାର ଟଙ୍କାରେ ଦୁତିକାଙ୍କ ଚିକିତ୍ସା ତ ହୋଇପାରିଲା ନାହିଁ କିନ୍ତୁ ସେହି ଟଙ୍କା ଦୁତିକାଙ୍କ ଶେଷକୃତ୍ୟ କରିଥିଲେ ।

Leave A Reply

Your email address will not be published.