Latest Odisha News

BREAKING NEWS

‘ଲକ୍ଷ୍ମଣରେଖା ରହିବା ଉଚିତ, କୋର୍ଟ ସରକାରଙ୍କୁ ସମ୍ମାନ ଦିଅନ୍ତୁ’

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନର ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି । ଏହାପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଦେଶରେ ‘ଲକ୍ଷ୍ମଣ ରେଖା’ ରହିବା ଉଚିତ୍। କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ସମେତ କେହି ନିଜ ନିଜର “ସୀମା” ଅତିକ୍ରମ କରିବା ଉଚିତ ନୁହେଁ ।

ସୁପ୍ରିମକୋର୍ଟ ଧାରା ୧୨୪ଏ ଉପରେ ସ୍ଥଗିତା ଦେଶ ନିର୍ଦ୍ଦେଶ ଦେବାପରେ ଏପରି ମନ୍ତବ୍ୟ ଦେଇ ରିଜିଜୁ କହିଛନ୍ତି, ଆମେ ପରସ୍ପରକୁ ସମ୍ମାନ ଦେଉଛୁ। କୋର୍ଟ ସରକାରକୁ, ସଂସଦକୁ ସମ୍ମାନ ଦେବା ଉଚିତ।  ତେଣୁ ସରକାର ମଧ୍ୟ କୋର୍ଟକୁ ସମ୍ମାନ ଦେବା ଉଚିତ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ସୀମା ନିର୍ଦ୍ଧାରଣ ଅଛି ଏବଂ ଲକ୍ଷ୍ମଣ ରେଖାକୁ କେହି ଅତିକ୍ରମ କରିବା ଉଚିତ ନୁହେଁ ।

ରିଜିଜୁ କହିଛନ୍ତି ଯେ ମେ ୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶଦ୍ରୋହ ଆଇନର ବ୍ୟବସ୍ଥାକୁ ପୁନର୍ବିଚାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଏ ଦିଗରେ ମତାମତ ଗୁଡିକୁ ବିଚାରକୁ ନେବେ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪ ଏ ବା ଦେଶଦ୍ରୋହ ଆଇନ ଉପରେ ବିଚାର କରି ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ସୁରକ୍ଷିତ ରଖିବାକୁ ସୁନିଶ୍ଚିତ କରିବେ। ରିଜିଜୁ କହିଛନ୍ତି ଯେ ଏହା ସରକାରଙ୍କର ଏକ ସାହସିକ ପଦକ୍ଷେପ ଏବଂ ଆଇନ୍ ତିଆରି କରିବା ସରକାରଙ୍କର ଦାୟିତ୍ୱ।

ତେବେ ରିଜିଜୁ ଏପରି କହି ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କୁ ଆହ୍ୱାନ କରିଛନ୍ତି । ଯିଏକି ଏପ୍ରିଲ ୩୦ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ମୁଖ୍ୟମନ୍ତ୍ରୀମାନଙ୍କୁ ସମ୍ବୋଧିତ କରିବା ସମୟରେ ‘ଲକ୍ଷ୍ମଣ ରେଖା’  ବାବଦରେ କହିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନ ବିଚାରପତି ସରକାର ମାନଙ୍କୁ କହିଥିଲେ, “ଯଦି ନ୍ୟାୟପାଳିକା ଆଇନ ଅନୁସାରେ କାମ କରେ, ତେବେ ଏହା କେବେ ବି ସରକାରରେ ବାଧା ସୃଷ୍ଟି କରିବ ନାହିଁ।

ସରକାର ଏହି ଆଇନର ସମୀକ୍ଷା କରୁଥିବା ବେଳେ ଜେଲରେ ଥିବା ବ୍ୟକ୍ତିମାନେ ଜାମିନ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସିଜେଆଇ ରମନ୍ନାଙ୍କ ନେତୃତ୍ୱରେ ଏକ ବେଞ୍ଚ ଦେଶଦ୍ରୋହ ମାମଲାରେ ସମସ୍ତ ପ୍ରକ୍ରିୟା ଉପରେ ରୋକ୍ ଲଗାଇଥିବା ବେଳେ ଦେଶଦ୍ରୋହ ଆଇନର ପୁନର୍ବିଚାର ନ ହେବା ଯାଏ ଦେଶଦ୍ରୋହ ଅଭିଯୋଗରେ କୌଣସି ନୂଆ ଏଫ୍ଆଇଆର ପଞ୍ଜିକରଣ ନକରିବାକୁ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.