Latest Odisha News

୭ରେ ହେବ ହାଇଭୋଲଟେଜ ପ୍ରଚାର; ମୁହାଁମୁହିଁ ହୋଇପାରନ୍ତି ନବୀନ-ଧର୍ମେନ୍ଦ୍ର

ଭୁବନେଶ୍ୱର: ଜମୁଛି ଝାରସୁଗୁଡା ଉପ ନିର୍ବାଚନ । ପ୍ରଚାର ମଇଦାନରେ ତିନି ଦଳ । କଂଗ୍ରେସ, ବିଜେପି ଏବଂ ବିଜେଡି । ଯେତେଯେତେ ଦିନ ପାଖେଇ ଆସୁଛି  ପ୍ରଚାର ସେତେ ରୋଚକ ହେଉଛି । ତେବେ ଆସନ୍ତା ୭ ତାରିଖ ବଳ ଦେଖାଇବେ ଦୁଇ ଦଳ । ପୁରା ହାଇ ଭୋଲଟେଜ ପ୍ରଚାର । ମୁହାଁମୁହିଁ ହେବେ ବିଜେପି-ବିଜେଡି । ଗୋଟିଏ ଦିନରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ମୈଦାନକୁ ଓହ୍ଲାଇଥିବାବେଳେ ନବୀନ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ମୈଦାନକୁ ଓହ୍ଲାଇ ପାରନ୍ତି । ଦୁଇ ଦଳର ଷ୍ଟାର ପ୍ରଚାରକ ଦଳରେ ଏମାନେ ସାମିଲ ଥିଲେ । ତେବେ ଗୋଟିଏ ଦିନରେ ଦୁଇଦଳର ପାୱାରଫୁଲ ନେତା ଆସିବାର ସମ୍ଭାବନା ଥିବାରୁ ସରଗରମ ହୋଇଛି ରାଜନୀତି । ଭୋଟର ଦେଖିବେ  କାହାର ଜୋର କେତେ ।

ଭୋଟ ଗ୍ରହଣର ୨ ଦିନ ପୂର୍ବରୁ ଟଙ୍କଧରଙ୍କ ପାଇଁ ଭୋଟ ମାଗିବାକୁ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ନିର୍ବାଚନୀ ସଭା ସହ ରୋଡ ସୋ ମଧ୍ୟ କରିବେ ।

ଅନ୍ୟପକ୍ଷେ ଦୀପାଳିଙ୍କ ଷ୍ଟାର ପ୍ରଚାରକ ଦଳରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଥିଲା । ତେଣୁ ମୁଖ୍ୟମନ୍ତ୍ରୀ ୭ ତାରିଖରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ଆସିପାରନ୍ତି । ଝାରସୁଗୁଡା ବ୍ଲକରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭା କରିବେ ବୋଲି ଜଣାପଡିଛି।

ଅନ୍ୟପଟେ  ବିଜେଡି ନେତା ଓ କର୍ମୀଙ୍କ ଗହଣରେ ମାରାଥନ୍‌ କ୍ୟାମ୍ପେନ୍‌ କରୁଛନ୍ତି ଦୀପାଳି ଦାସ । ଅନୁକମ୍ପାନମୂଳକ ଭୋଟ ସହ ବିଜେଡି ଛାପା ତାଙ୍କୁ ବିଜୟ ମୁକୁଟ ପିନ୍ଧାଇବ। ଏଇ ଆଶା ନେଇ ପ୍ରଚାରରେ ମାତିଛନ୍ତି କର୍ମୀ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର ନେତା ଓ କର୍ମୀଙ୍କୁ ଆହୁରି ଉତ୍ସାହିତ କରିବ ।

Comments are closed.