ନୂଆଦିଲ୍ଲୀ : ଘରେ ଚୋର ପଶିଲେ କଳା କନା ବୁଲାଇ ଦେଇଥାନ୍ତି । କିନ୍ତୁ କେଉଁଠି ଶୁଣିଛନ୍ତି ଚୋର ଘରୁ କିଛି ନ ପାଇଲେ ଟଙ୍କା ଛାଡ଼ି ଦେଇଯିବା ? ଏବେ ନୂଆଦିଲ୍ଲୀରେ ସେମିତି ଏକ ଘଟଣା ଘଟିଛି, ଯେଉଁଥିରେ ଚୋର କିଛି ନ ପାଇ ନିଜ ବଦନ୍ୟତା ଦେଖାଇଛି ।
ନୂଆଦିଲ୍ଲୀର ରୋହିଣୀର ସେକ୍ଟର ୮ରେ ରୁହନ୍ତି ଜଣେ ସରକାରୀ ଅବସରପ୍ରାପ୍ତ ବ୍ୟକ୍ତି । କିଛି ଦିନ ତଳେ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ ନେଇ ଗୁରୁଗ୍ରାମରେ ରହୁଥିବା ପୁଅଙ୍କ ପାଖକୁ ଯାଇଥିଲେ । ଏହି ସମୟରେ କିଛି ଚୋର ତାଙ୍କ ଘରର ତାଲା ଭାଙ୍ଗି ଭିତରେ କଳାକନା ବୁଲାଇବାକୁ ପଶିଥିଲେ । ହେଲେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କିଛି ପାଇ ନ ଥିଲେ । ଯିବା ସମୟରେ ଚୋରମାନେ ୫ ଶହ ଟଙ୍କିଆ ନୋଟ ଛାଡି ଚାଲିଯାଇଥିଲେ । ଘରର ତାଲା ଭଙ୍ଗାଯାଇଥିବା ଦେଖି ପଡୋଶୀ ତାଙ୍କୁ ଖବର ଦେଇଥିଲେ । ତୁରନ୍ତ ଆସି ଥାନାରେ ଏତଲା ଦେଇଥିଲେ । ଘରୁ କିଛି ଚୋରି ହୋଇ ନ ଥିବା ଘର ମାଲିକ ସ୍ପଷ୍ଟ କରିଛନ୍ତି । ଚୋରମାନେ ଦ୍ୱାରରେ ୫ ଶହ ଟଙ୍କିଆ ନୋଟ ଛାଡି ଦେଇ ଯାଇଥିବା କହିଛନ୍ତି । ଚୋରମାନଙ୍କର ଏହି ଉଦାରତା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଚୋର ଟଙ୍କା ଛାଡ଼ି ଦେଇଯିବା ନୂଆଦିଲ୍ଲୀରେ ନୂଆ ନୁହେଁ, ଏହାପୂର୍ବରୁ ଜୁନ ମାସରେ ଶାହାଦରା ଅଞ୍ଚଳରେ ଏକ ଦମ୍ପତିଙ୍କୁ ଲୁଟ କରିବା ସମୟରେ ତାଙ୍କଠାରୁ ମାତ୍ର ୨୦ ଟଙ୍କା ଚୋରମାନେ ପାଇଥିଲେ । ସେମାନଙ୍କ ଅବସ୍ଥା ଦେଖି ଚୋରମାନେ ୧୦୦ ଟଙ୍କା ଦେଇ ଚାଲି ଯାଇଥିଲେ ।
Comments are closed.