Latest Odisha News

BREAKING NEWS

କେରଳର ଏହି ମନ୍ଦିରକୁ ଯାନ୍ତ୍ରିକ ହାତୀ ଦେଲା ପେଟା, କରିପାରିବ ଏସବୁ କାମ

ତ୍ରିସୁର: ସୀତାର ବାଦକ ଅନୁଷ୍କା ଶଙ୍କର ଏବଂ ପେଟା ଇଣ୍ଡିଆ ପକ୍ଷରୁ ତ୍ରିସୁରର କୋମ୍ବରା ଶ୍ରୀକୃଷ୍ଣ ସ୍ୱାମୀ ମନ୍ଦିରକୁ ଏକ ଯାନ୍ତ୍ରିକ ହାତୀ ଉପହାର ଦିଆଯାଇଛି। ଅସଲି ହାତୀ ବ୍ୟବହାର ନକରି ମନ୍ଦିରର ଉତ୍ସବ ପରିଚାଳନାରେ ଏହି ହାତୀ ସାହାଯ୍ୟ କରିବ। ଏହି ତିନି ମିଟର ଉଚ୍ଚ ଯାନ୍ତ୍ରିକ ହାତୀର ନାମ କୋମ୍ବାରା କନ୍ନନ ରଖାଯାଇଛି।

ଉନ୍ନାଇ ୱାରିଅର ମେମୋରିଆଲ କଲାନାଲୟମର ସଚିବ ସତୀଶ ବିମଲାନଙ୍କ ଦ୍ୱାରା ଗତ ବୁଧବାର ଦିନ ୮୦୦ କିଲୋଗ୍ରାମ ଓଜନର ଏହି ଯାନ୍ତ୍ରିକ ହାତୀକୁ ଉନ୍ମୋଚନ କରାଯାଇଥିଲା।

ତେବେ ଏହା କେରଳର ମନ୍ଦିରକୁ ଉପହାର ଦିଆଯାଇଥିବା ପଞ୍ଚମ ଯାନ୍ତ୍ରିକ ହାତୀ ହୋଇଥିଲା ବେଳେ ତ୍ରିସୁର ଜିଲ୍ଲାରେ ଦ୍ୱିତୀୟ ବୋଲି ପେଟା ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହି ସଂସ୍ଥା ନିକଟରେ ମଲାପ୍ପୁରମର ଏକ ମସଜିଦକୁ ଧାର୍ମିକ ସମାରୋହରେ ବ୍ୟବହାର ପାଇଁ ଏକ ଯାନ୍ତ୍ରିକ ହାତୀ ମଧ୍ୟ ପ୍ରଦାନ କରିଥିଲା। ମନ୍ଦିରର ସଭାପତି ରବି ନାମ୍ବୁଦିରି ଦାନକୁ ସ୍ୱାଗତ କରିବା ସହ ଯାନ୍ତ୍ରିକ ହାତୀ ପ୍ରଦାନ କରିଥିବାରୁ ପେଟାକୁ ଧନ୍ୟବାଦ ଜଣାଇଥିଲେ।

ଅପରପକ୍ଷରେ ରବର, ଫାଇବର, ଧାତୁ, ଜାଲ, ଫୋମ ଏବଂ ଷ୍ଟିଲରେ ତିଆରି ଏହି ଯାନ୍ତ୍ରିକ ହାତୀଗୁଡ଼ିକ ପାଞ୍ଚଟି ମୋଟରରେ ଚାଲୁଛି। ପେଟା ଇଣ୍ଡିଆ ଅନୁଯାୟୀ, ଏହି ହାତୀଟି ମୁଣ୍ଡ ହଲାଇପାରେ, କାନ ଏବଂ ଆଖି ହଲାଇପାରେ, ଲାଞ୍ଜ ମଧ୍ଯ ହଲାଇପାରେ, ଶୁଣ୍ଢ ଉଠାଇବା ସହ ପାଣି ମଧ୍ଯ ଛିଞ୍ଚିବା ଏବଂ ଯାତାୟାତ ମଧ୍ୟ କରିପାରିବ।

 

Comments are closed.