Latest Odisha News

BREAKING NEWS

ଫିଟୁଛି ଫ୍ରାନ୍ସର କ୍ୟାଥୋଲିକ୍ ଚର୍ଚ୍ଚର ଗୁମର; ଏଠାରେ ଶିଶୁଙ୍କୁ କରାଯାଉଛି ଯୌନ ଶୋଷଣ

ନୂଆଦିଲ୍ଲୀ: ନୂତନ ରିପୋର୍ଟରୁ ଜଣାପଡିଛି ଯେ ୧୯୫୦ ପରଠାରୁ ଫ୍ରାନ୍ସର କ୍ୟାଥୋଲିକ୍ ଚର୍ଚ୍ଚରେ ଶିଶୁଙ୍କୁ କରାଯାଉଛି ଯୌନ ଶୋଷଣ। ଏଭଳି ଏକ ସାଙ୍ଘାତିକ ମାମଲାର ପର୍ଦ୍ଦାଫାସ କରାଯାଇଛି। ଚର୍ଚ୍ଚ ଭଳି ପବିତ୍ର ସ୍ଥାନରେ ଏଭଳି ଅନୈତିକ କାର୍ଯ୍ୟ ନିଶ୍ଚିତ ରୂପେ ନିନ୍ଦନୀୟ। ଫ୍ରାନ୍ସର ଚର୍ଚ୍ଚରେ ଶିଶୁ ଯୌନ ଶୋଷଣ ମାମଲାର ତଦନ୍ତରେ ନିୟୋଜିତ ସ୍ୱାଧୀନ କମିଶନ ଏହି ସୂଚନା ଦେଇଛନ୍ତି।

ଆୟୋଗ ଏହାର ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ ୧୯୫୦ ପରଠାରୁ ଅତି କମରେ ଏପର୍ଯ୍ୟନ୍ତ ୨୯୦୦ ରୁ ୩୨୦୦ ପେଡୋଫାଇଲ୍ ପାଦ୍ରୀ କିମ୍ବା ଚର୍ଚ୍ଚର ଅନ୍ୟ ସଦସ୍ୟମାନଙ୍କ କଳା କାରନାମା ଗୁମର ଫିଟିସାରିଛି। ଏହି ସଂଖ୍ୟା ଅନେକ ଗୁଣ ଅଧିକ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

ଫ୍ରାନ୍ସର ଚର୍ଚ୍ଚଗୁଡ଼ିକ ଉପରେ ଅଢେଇ ବର୍ଷର ତୀବ୍ର ଅନୁସନ୍ଧାନ ପରେ ଆୟୋଗର ଏହି ରିପୋର୍ଟ ମଙ୍ଗଳବାର ଦିନ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଏହି ରିପୋର୍ଟ ଚର୍ଚ୍ଚ, କୋର୍ଟ, ପୋଲିସ୍ ଅଭିଲେଖାଗାର ଏବଂ ସାକ୍ଷୀଙ୍କ ସହ ସାକ୍ଷାତକାର ଆଧାରରେ ପ୍ରସ୍ତୁତ କରାଯାଇଛି।

ପ୍ରାୟ ୨୫୦୦ ପୃଷ୍ଠାର ଏହି ରିପୋର୍ଟରେ କେବଳ ଅପରାଧୀଙ୍କ ସଂଖ୍ୟା କୁହାଯାଇ ନାହିଁ ବରଂ ପୀଡିତଙ୍କ ସଂଖ୍ୟା ମଧ୍ୟ ଦିଆଯାଇଛି। ଏହି ରିପୋର୍ଟରେ ସେହି ବ୍ୟବସ୍ଥା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ଯେଉଁ କାରଣରୁ ପେଡୋଫାଇଲମାନେ ଚର୍ଚ୍ଚ ଭିତରେ ରହି ମଧ୍ୟ ସକ୍ରିୟ ଥିଲେ।

ଏହି ସ୍ବତନ୍ତ୍ର ଆୟୋଗ ୨୦୧୮ ରେ ଫ୍ରେଞ୍ଚ କ୍ୟାଥୋଲିକ ଚର୍ଚ୍ଚ ଦ୍ୱାରା ଗଠନ କରାଯାଇଥିଲା। ସେହି ସମୟରେ ଅନେକ ଦୁର୍ନୀତିର ଖୁଲାସା ଫ୍ରାନ୍ସ ଏବଂ ବିଶ୍ବର ଚର୍ଚ୍ଚଗୁଡିକର ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଥିଲା।

Comments are closed.