ଭୁବନେଶ୍ୱର: ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟର ବିଜେପି ସରକାର ମାଲକାନଗିରି ଓ ଓଡିଶାର ଲୋକଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବେ ଅସମ୍ୱେଦନଶୀଳ ହୋଇଯାଇଛି । ପୋଲାଭରମ ପ୍ରକଳ୍ପ ପାଣିରେ ଆଦିମ ଜନଜାତି ପରିବାର ଭାସି ଯିବାକୁ ବସିଲେଣି । କିନ୍ତୁ ନା ମୁଖ୍ୟମନ୍ତ୍ରୀ ନା ତାଙ୍କ ସରକାର ଏଥିପ୍ରତି ଚିନ୍ତିତ ଅଛନ୍ତି । ଏପରି ଦୁର୍ଭାଗ୍ୟଜନକ ପ୍ରସଙ୍ଗରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ଚେତାବନୀ ଦେଇଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଓ ଗଣମାଧ୍ୟମ ସଂଯୋଜକ ଡ. ପ୍ରିୟବ୍ରତ ମାଝି କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଦର୍ଶନରେ ବିଜେଡି ପ୍ରତିନିଧିମଣ୍ଡଳୀ ୨୦୨୪ ଅଗଷ୍ଟରେ ମାଲକାନଗିରି ଜିଲ୍ଲାର ପ୍ରଭାବିତ ମୋଟୁ ଅଞ୍ଚଳ ଏବଂ ୨୦୨୪ ସେପ୍ଟେମ୍ବରରେ ପୋଲାଭରମ୍ ପ୍ରକଳ୍ପ ପରିଦର୍ଶନ କରିଥିଲେ । ୨୦୨୪ ଡିସେମ୍ବର ଓ ୨୦୨୫ ଅଗଷ୍ଟରେ, ଏହି ପ୍ରତିନିଧି ଦଳ ଜଳସମ୍ପଦ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଦିବାସୀ ଏବଂ ମାଲକାନଗିରି ପ୍ରଭାବିତ ଲୋକଙ୍କ ସମସ୍ୟା ଉଠାଇଥିଲେ । ଏହାସହିତ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଓ କେନ୍ଦ୍ରୀୟ ଜଳ କମିଶନ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ।
ପ୍ରସାଦ ମିଶ୍ର କହିଛନ୍ତି, ଗୋଦାବରୀ ଜଳ ବିବାଦ ଟ୍ରିବୁନାଲ ଅନୁଯାୟୀ ବନ୍ୟା ଜଳ ନିଷ୍କାସନ କ୍ଷମତା ୩୬ ଲକ୍ଷ କ୍ୟୁସେକ, ଡ୍ୟାମ୍ ଉଚ୍ଚତା ୧୪୦ ଫୁଟ୍ ଓ ବନ୍ୟାଜଳ ନିଷ୍କାସନ କ୍ଷମତା ୧୫୦ ଫୁଟ୍ ରହିଥିଲା । କୋଣ୍ଟା ପଏଣ୍ଟରେ, ଯେଉଁଠାରେ ସାବେରୀ ଓ ସିଲେରୁ ନଦୀ ମିଶିଛନ୍ତି, ସେଠି ସର୍ବାଧିକ ଜଳମଗ୍ନତା ସ୍ତର ୧୭୪.୨୨ ଫୁଟ୍ ରହିଥିଲା । କିନ୍ତୁ ୨୦୦୬ ମସିହାରେ ଓଡିଶା ସମେତ ପ୍ରଭାବିତ ରାଜ୍ୟଗୁଡିକ କୌଣସି ଆଲୋଚନା ନକରି ବନ୍ୟା ନିଷ୍କାସନ କ୍ଷମତାକୁ ୫୦ ଲକ୍ଷ କ୍ୟୁସେକକୁ ବୃଦ୍ଧି କରାଯାଇଥିଲା ।
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ତାଙ୍କ ପତ୍ର ତାରିଖ ୦୧.୦୧.୨୦୧୪, ୨୩.୦୬.୨୦୧୫ ଓ ୧୨.୦୮.୨୦୧୬ ଦ୍ୱାରା “ଷ୍ଟପ୍ ୱାର୍କ ଅର୍ଡର୍”କୁ ପୁନର୍ବାର ସ୍ଥଗିତ ରଖିଥିଲେ । ଯେଉଁଠି ଓଡିଶା ଭୂଭାଗରେ ପ୍ରଭାବିତ ଅଞ୍ଚଳଗୁଡିକରେ କୌଣସି ସାର୍ବଜନିନ ଶୁଣାଣି କରାଯାଇନଥିଲା । ଏହି ପରିସ୍ଥିତିରେ, ରାଜ୍ୟ ସରକାର ୨୦୦୭ ମସିହାରେ ଉଚ୍ଚତମ ନ୍ୟାୟାଳୟ ସମ୍ମୁଖରେ ଅରଜିନାଲ ସୁଇମୁଁ ନଂ ୪/୨୦୦୭ ମାମଲା ଦାଖଲ କରିଥିଲା, ଯେଉଁଠି ପ୍ରକଳ୍ପ ନିମନ୍ତେ ମିଳୁଥିବା ଅନୁମତିଗୁଡିକର ନିୟମ ଉଲ୍ଲଂଘନ ନେଇ ପ୍ରତିବାଦ ଜଣାଯାଇଥିଲା । ପରେ ପୋଲାଭାରମ୍ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଯିବା ଅନୁସାରେ ଓଡିଶା ସରକାର ମାମଲାର ସଂଶୋଧନ ପାଇଁ ଆବେଦନ ମଧ୍ୟ କରିଥିଲେ ।
ଆନ୍ଧ୍ରପ୍ରଦେଶ ସରକାର ୫୦ ଲକ୍ଷ କ୍ୟୁସେକ ଆଧାରରେ ବ୍ୟାକ ୱାଟର ଅଧ୍ୟୟନ କରିଥିଲେ, ଯାହା ଅନୁଯାୟୀ କୋଣ୍ଟାରେ ଜଳମଗ୍ନତା ସ୍ତର ୨୨୦ ଫୁଟ୍ ହେଇଥିଲା । ପରେ ଓଡିଶା ସରକାର ଆଇଆଇଟି ରୁର୍କୀ ଠାରୁ ବ୍ୟାକ୍ ୱାଟର ଅଧ୍ୟୟନ କରାଇଥିଲେ ଓ ତାହାର ଅନୁଯାୟୀ ବନ୍ୟା ଜଳ ନିଷ୍କାସନ କ୍ଷମତା ୫୮ ଲକ୍ଷ କ୍ୟୁସେକ ଓ କୋଣ୍ଟା ପଏଣ୍ଟରେ ଜଳମଗ୍ନତା ସ୍ତର ୨୩୨ ଫୁଟ୍ ହେବ ବୋଲି ରିପୋର୍ଟ ଆସିଥିଲା ।
ଶ୍ରୀ ମିଶ୍ର କହିଥିଲେ ବିଜେଡି ଦାବି କରୁଛି ଯେ ପ୍ରକଳ୍ପର ସଂଶୋଧିତ କ୍ଷେତ୍ର ଅନୁଯାୟୀ ଏକ ସ୍ୱତନ୍ତ୍ର ଓ ପ୍ରଯୁକ୍ତିକ ଅଭିଜ୍ଞ ସଂସ୍ଥା ଦ୍ୱାରା ନୂତନ ବ୍ୟାକ୍ ୱାଟର ଅଧ୍ୟୟନ ହେବା ଦରକାର । ପରିବେଶ ମନ୍ତ୍ରାଳୟ ପକ୍ଷରୁ ସଂଶୋଧିତ ପ୍ରକଳ୍ପ ପାଇଁ କୌଣସି ନୂତନ ପରିବେଶ ଅନୁମତି ନାହିଁ । ବିଜେଡି ନିରନ୍ତର ରୂପେ ଆଦିବାସୀ ଲୋକଙ୍କ ପୁନର୍ବାସ ଓ ପୁନସ୍ଥାପନ ଯୋଜନା ପାଇଁ ଚିନ୍ତା ବ୍ୟକ୍ତ କରିଆସୁଛି ।
ବିଧାୟକ ମନୋହର ରନ୍ଧାରୀ କହିଛନ୍ତି ଯେ ହଜାର ହଜାର ଆଦିମ ଆଦିବାସୀ ଓ ସେମାନଙ୍କ ଜୀବିକା ଏହି ପ୍ରକଳ୍ପ ସମାପ୍ତ ହେଲେ ଗଭୀର ଭାବେ ପ୍ରଭାବିତ ହେବ । ଅନେକ ଜଙ୍ଗଲ ସମ୍ପଦ, ଯାହା ଏହି ଆଦିବାସୀ ଓ ଅନ୍ୟ ଜାତିଗୋଷ୍ଠୀ ଉପର ନିର୍ଭର କରନ୍ତି, ସେଗୁଡିକ ମଧ୍ୟ ନଷ୍ଟ ହେବ ।
ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ ବିଜେଡି ଏହି ପ୍ରସଙ୍ଗ ଅନେକ ଥର ସଂସଦରେ ଉଠାଇଛି ଓ ସମ୍ବନ୍ଧିତ ମନ୍ତ୍ରୀମାନଙ୍କୁ ପ୍ରଶ୍ନ କରିଆସୁଛି । ତଥାପି, ସନ୍ତୋଷଜନକ ଉତ୍ତର ନ ମିଳିଥିବାରୁ ପ୍ରକଳ୍ପର ଉଦ୍ଦେଶ୍ୟ ଓ ପାରଦର୍ଶିତା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ସେ କହିଛନ୍ତି ବିଜେଡି ଆଦିବାସୀ ଓ ମାଲକାନଗିରି ଲୋକଙ୍କ ହିତରେ ଓଡିଶାର ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢି ଚାଲିବ ।
ଡ. ପ୍ରିୟବ୍ରତ ମାଝି କହିଛନ୍ତି ଯେ, ଓଡିଶାରେ ଏକ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଚାଲିଛି । ତେବେ ମାଲକାନଗିରିର ହଜାର ହଜାର ଆଦିମ ଆଦିବାସୀ ଓ ଅନ୍ୟ ଜାତି ସମୁଦାୟ ପ୍ରଭାବିତ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କାହିଁକି ନିରବ ରହିଛନ୍ତି? “ଗତ ୧୮ ମାସରେ ଜଳସମ୍ପଦ, ଆଦିବାସୀ କଲ୍ୟାଣ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀମାନଙ୍କୁ ସେ କେତୋଟି ଚିଠି ଲେଖିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କିମ୍ବା ଭାରତ ସରକାରଙ୍କ କେତୋଟି ଚିଠି ଲେଖିଛନ୍ତି ବୋଲି” ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ସରକାର ଆଦିବାସୀଙ୍କ ଉନ୍ନତି ପାଇଁ ନାଟକ କରୁଛନ୍ତି, ଅସଲ ଯନ୍ତ୍ରଣା ଓ ଦୁଃଖକୁ ଏଡାଇ ଦେଉଛନ୍ତି ।
ବିଜେଡି ନେତାମାନେ ଶେଷରେ କହିଛନ୍ତି ଯଦି ଡବଲ ଇଞ୍ଜିନ ସରକାର ଆଦିବାସୀ ଓ ମାଲକାନଗିରି ଲୋକଙ୍କ ସମସ୍ୟାର ସମାଧାନ କରିପାରିବନାହିଁ, ତେବେ ବିଜୁ ଜନତା ଦଳ ତାଙ୍କ ଅଧିକାର ଓ ନ୍ୟାୟ ପାଇଁ ରାସ୍ତାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ।