Latest Odisha News

ଅମରନାଥ ଯାତ୍ରା ପାଇଁ ଅଫଲାଇନ୍ ପଞ୍ଜୀକରଣ ଆରମ୍ଭ, ବ୍ୟାଙ୍କ୍ ବାହାରେ ଗହଳି ଜମୁଛି 

ନୂଆଦିଲ୍ଲୀ: ବାର୍ଷିକ ଅମରନାଥ ଯାତ୍ରା ପାଇଁ ଅଫଲାଇନ୍ ପଞ୍ଜୀକରଣ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆଗ୍ରହୀ ତୀର୍ଥଯାତ୍ରୀମାନେ ସ୍ଥାନୀୟ କିଛି ବ୍ୟାଙ୍କ ଶାଖା ବାହାରେ ଧାଡ଼ିରେ ଠିଆ ହୋଇଥିବା ଦେଖାଯାଇଛି। ସେମାନେ ଏହି ଯାତ୍ରାରେ ପ୍ରଥମ ବ୍ୟାଚ୍‌ର ଅଂଶ ହେବା ପାଇଁ ଧାଡ଼ିରେ ଛିଡା ହୋଇଛନ୍ତି।

ଏହି ତୀର୍ଥଯାତ୍ରା ଜୁଲାଇ ୩ରେ ଦୁଇଟି ରାସ୍ତା ଦେଇ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ୪୮ କିଲୋମିଟର ଲମ୍ବା ପହଲଗାମ ମାର୍ଗ ଏବଂ ଗାଣ୍ଡେରବଲ ଜିଲ୍ଲାର ୧୪ କିଲୋମିଟର ଛୋଟ ବାଲତାଲ ମାର୍ଗ। ଏହି ୩୮ ଦିନିଆ ଯାତ୍ରା ଅଗଷ୍ଟ ୯ ତାରିଖରେ ରକ୍ଷା ବନ୍ଧନ ପର୍ବ ସହିତ ଶେଷ ହେବ।

ବାର୍ଷିକ ତୀର୍ଥଯାତ୍ରା ପରିଚାଳନା କରୁଥିବା ଶ୍ରୀ ଅମରନାଥଜୀ ମନ୍ଦିର ବୋର୍ଡ ତୀର୍ଥଯାତ୍ରୀଙ୍କ ଆଗୁଆ ପଞ୍ଜୀକରଣ ପାଇଁ ଦେଶବ୍ୟାପୀ ମୋଟ ୫୪୦ଟି ବ୍ୟାଙ୍କ ଶାଖାକୁ ଚୟନ କରିଛି। ଏହା ବ୍ୟତୀତ ସୋମବାରଠାରୁ SASB ୱେବସାଇଟରେ ପଞ୍ଜୀକରଣ ପାଇଁ ଅନଲାଇନ୍ ସୁବିଧା ମଧ୍ୟ ଆରମ୍ଭ ହୋଇଛି।

ବୋର୍ଡ ଅନୁଯାୟୀ, ୧୩ ବର୍ଷରୁ କମ୍ କିମ୍ବା ୭୫ ବର୍ଷରୁ ଅଧିକ ବୟସର କୌଣସି ବ୍ୟକ୍ତି ଏବଂ ଛଅ ସପ୍ତାହରୁ ଅଧିକ ଗର୍ଭବତୀ ମହିଳା ତୀର୍ଥଯାତ୍ରା ପାଇଁ ପଞ୍ଜୀକୃତ ହେବେ ନାହିଁ।

Comments are closed.