Latest Odisha News

BREAKING NEWS

ରାଜ୍ୟର ୫ ଜିଲ୍ଲାର ଏହି ସବୁ ସ୍ଥାନରେ ‘ସାତଭାୟା’ ଭଳି କୂଳ ଖାଉଛି ସମୁଦ୍ର

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ନାଁ ଶୁଣିଲେ ସମୁଦ୍ର କୂଳିଆ ଲୋକଙ୍କ ଛାତି ଥରେ । ଆଉ ଏବେ ରାଜ୍ୟର ଅନେକ ସ୍ଥାନରେ ସାତଭାୟା ସ୍ଥିତି ଉପୁଜୁଛି । ଯାହାକୁ ନେଇ ବିଜେପି ବିଧାୟକ ମୋହନ ଚରଣ ମାଝୀ ବିଧାନସଭାରେ କରିଥିବା ଅଣତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ ଅମାତ୍ ।

ପ୍ରଦୀପ ଅମାତ୍ କହିଛନ୍ତି, ସାମୁଦ୍ରିକ ଜୁଆର ପବନ ବୃଦ୍ଧି ଯୋଗୁଁ ରାଜ୍ୟର ୫ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଟ ଅବକ୍ଷୟ ହେବାରେ ଲାଗିଛି । ସାମୁଦ୍ରିକ ଉପକୂଳ ପରିଚାଳନା ପ୍ରକଳ୍ପ (ICZM Project) ମାଧ୍ୟମରେ ଓଡ଼ିଶାର ସମୁଦ୍ରତଟ ସର୍ବେକ୍ଷଣ ଓ ତଟ ଅବକ୍ଷୟ ପ୍ରତିରୋଧ ପାଇଁ ସମଗ୍ର ୪୮୦ କିଲୋମିଟର ସମୁଦ୍ର ତଟର ଏକ ଦୀର୍ଘମିଆଦି ତଟବର୍ତ୍ତ ଅଞ୍ଚଳ ଯୋଜନା (Shoreline Management Plan) ପ୍ରସ୍ତୁତ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟାରୁ ପେଣ୍ଠ, ବାଲେଶ୍ୱର ଜିଲ୍ଲାର ତଳସାହି, ଉଦୟପୁରର ପାର୍ଶ୍ୱ, ବୁଢ଼ାବଳଙ୍ଗ ମୁହାଣର ଉତ୍ତର ପାର୍ଶ୍ୱ, ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦର ଅଞ୍ଚଳ, ପୁରୀ ଜିଲ୍ଲାର ଯମୁନା ନଦୀ ପାଖ ଏବଂ ସମୁଦ୍ର ତଟ ମଧ୍ୟସ୍ଥ ଅଞ୍ଚଳ, ଗଞ୍ଜାମ ଜିଲ୍ଲା ଗୋପାଳପୁର ବନ୍ଦରର ଉତ୍ତର ପାର୍ଶ୍ୱ, ବାହୁଦା ନଦୀ ମୁହାଣର ଉତ୍ତର ଦିଗରେ ଅବସ୍ଥିତ ରାମାୟାପାଟଣା ଆଦି ଅଞ୍ଚଳର ତଟ ଅବକ୍ଷୟ ହେଉଛି ଅବା ସମ୍ଭାବନା ଥିବା କହିଛନ୍ତି ମନ୍ତ୍ରୀ ।

କେନ୍ଦ୍ରାପଡ଼ା ଜିଲ୍ଲାର ପେଣ୍ଠଠାରେ ତଟ ଅବକ୍ଷୟ ରୋକିବା ଲାଗି ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେଇ ପରୀକ୍ଷା ମୂଳକ ଭାବେ ଦୀର୍ଘ ୫୦୫ ମିଟରର ଜିଓ ଟେକ୍ସଟାଇଲ୍ ବନ୍ଧ ବିଛା ଯାଇ ପ୍ରବଳ ଲହଡ଼ିକୁ ପ୍ରତିହତ କରାଯାଉଛି ।

ଓସଡମା ଓ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ସମୁଦ୍ର ଉପକୂଳ କ୍ଷୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ୧୬ଟି ଗାଁ ସମୁଦ୍ର ଗର୍ଭରେ ବିଲୀନ ହୋଇଛି । ଏଥିପାଇଁ ୨୪୭ ଲୋକ ବିସ୍ଥାପିତ ହୋଇଛନ୍ତି । ସେହିଭଳି ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ସମ୍ପୂର୍ଣ୍ଣ ପୋଡ଼ମପେଟ୍ଟା ଗାଁ ଏବଂ ଚିକିଟି ବ୍ଲକ ରାମାୟାପାଟଣା ଗାଁର କିଛି ପରିବାରକୁ ସ୍ଥାନାନ୍ତରଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

ଜଳବାୟୁ ପରିବର୍ତ୍ତନ ଜନିତ ପ୍ରତିକୂଳ ପରିସ୍ଥିତିର ସାମ୍ନା ପାଇଁ ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ୧୧ଟି ବିଭାଗ ସହାୟତାରେ କାର୍ଯ୍ଯକାରୀ କରୁଥିବା କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ ଅମାତ୍ ।

Threat Of Sea Erosion To These Places Of Odisha

Leave A Reply

Your email address will not be published.