Latest Odisha News

ନୂଆ ଆଇନ: ଗଣଦୁଷ୍କର୍ମ ଅପରାଧୀଙ୍କୁ ମିଳିବ ୨୦ ବର୍ଷ ବା ଆଜୀବନ ସଜା

ନୂଆଦିଲ୍ଲୀ:ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା  । ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବା ପାଇଁ ଲୋକସଭାରେ ଆସିଲା ନୂଆ ବିଲ ।  ଶୁକ୍ରବାର ସଂସଦରେ ଏହି ବିଲ୍ ଆଗତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । କ’ଣ ରହିଛି ଏହି ନୂଆ ବିଲରେ ଆସନ୍ତୁ ଜାଣିବା ।

ଆଇପିସି ହଟି ତା ସ୍ଥାନରେ ଆସିବ ଭାରତୀୟ ନ୍ୟାୟ ସଂହିତା-୨୦୨୩  ।  ସିଆର୍‌ପିସି ହଟି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା  । ଆଇଇଏ ହଟି ତା ସ୍ଥାନରେ ଆସିବ ଭାରତୀୟ ସାକ୍ଷ୍ୟ ଅଧିନିୟମ  । ସେହିପରି ଆଇପିସିରେ ୫୧୧ ଧାରା ଥିଲା, ଏବେ ୩୫୬ଟି ଧାରା ରହିବ  । ୧୭୫ଟି ଧାରାରେ ପରିବର୍ତ୍ତନ ହେବ ଓ ୮ ନୂଆ ଧାରା ଯୋଡ଼ାଯିବ  । ଆଇପିସିରୁ ହଟିବ ୨୨ଟି ଅନାବଶ୍ୟକ ଧାରା  । ସେହିପରି ସିଆରପିସିରେ ୫୩୩ ଧାରା ରହିବ, ୧୬୦ ବଦଳିବ  । ସିଆର୍‌ପିସିରେ ସାମିଲ ହେବ ୯ ନୂଆ ଧାରା ଓ  ୯ ଧାରା ଉଚ୍ଛେଦ ହେବ  ।

ଗୃହମନ୍ତ୍ରୀ  ସୂଚନା ଦେଇ କହିଛନ୍ତି, ଆଇନରେ ବ୍ୟାପକ ସଂସ୍କାର କରାଯାଇଛି। ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ। ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମିଳିବ ମୃତ୍ୟୁଦଣ୍ଡ। ସେହିପରି ସଂଗଠିତ ଅପରାଧ ପାଇଁ କଠୋର ସଜାର ବ୍ୟବସ୍ଥା କରାଯାଇଛି । ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ । ସେହିପରି ୯୦ ଦିନ ଭିତରେ ଚାର୍ଜସିଟ୍ ପାଇଁ ନୂଆ ଆଇନରେ ବ୍ୟବସ୍ଥା ରହିଛି । କୋର୍ଟ ଚାହିଁଲେ ଚାର୍ଜସିଟ୍ ପାଇଁ ଆଉ ୯୦ ଦିନ ଦେଇପାରିବେ  । ଚାର୍ଜସିଟ୍ ଦାଖଲର ୬୦ ଦିନ ଭିତରେ ହେବ ଚାର୍ଜଫ୍ରେମ୍  । ୯୦ ଦିନ ଭିତରେ ଶୁଣାଣି ସାରି ରାୟ ଶୁଣାଇବେ କୋର୍ଟ ।

ଏହି ନୂଆ ବିଲ ଅନୁସାରେ ରାଜଦ୍ରୋହ ସଜା ମଧ୍ୟ ବଦଳିବ । ନୂଆ ବିଲ ଅନୁସାରେ ରାଜଦ୍ରୋହ ନାମ ହଟିଯିବ  । ପ୍ରସ୍ତାବିତ ଆଇନ ଅନୁସାର, ରାଜଦ୍ରୋହ ପାଇଁ ଆଜୀବନ କାରାଦଣ୍ଡ କିମ୍ବା ତିନି ବର୍ଷ ଜେଲ ଦଣ୍ଡ ମିଳିପାରେ । ଅପରାଧୀଙ୍କ ସମ୍ପତ୍ତି ଆଟାଜ କରିବାର ନିର୍ଦ୍ଦେଶ କୋର୍ଟ ଦେବେ, ପୋଲିସ ନୁହେଁ । ସମସ୍ତଙ୍କୁ ତିନି ବର୍ଷ ମଧ୍ୟରେ ନ୍ୟାୟ ମିଳିବ । ରାଜଦ୍ରୋହ ମାମଲା ଧାରା ୧୫୦ ଅନୁସାରେ ଧାର୍ଯ୍ୟ କରାଯିବ । ଧାରା ୧୫୦ର ଅର୍ଥ ହେଉଛି, ଭାରତର ଅଖଣ୍ଡତା, ସଂପ୍ରଭୁତା ଏବଂ ଏକତାକୁ ବିପଦରେ ପକାଇବା ପରି କାମ ।

୨୦୨୭ ପୂର୍ବରୁ ଦେଶର ସମସ୍ତ କୋର୍ଟକୁ କମ୍ପ୍ୟୁଟରାଇଜ କରାଯିବ । କୌଣସି ବ୍ୟକ୍ତିଙ୍କୁ ଗିରଫ କରାଗଲେ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯିବ । ଏଥିପାଇଁ ପୋଲିସ ଅଧିକାରୀ ନିଯୁକ୍ତି ପାଇବେ ।

ସରକାରୀ କର୍ମଚାରୀଙ୍କ ବିରୋଧରେ ଯଦି ମାମଲା ଦାଏର କରାଯିବ ତେବେ ୧୨୦ ଦିନ ମଧ୍ୟରେ କେସ ଚାଲିବା ପାଇଁ ଅନୁମତି ଦେବା ଜରୁରୀ ।

ବିଲ୍ ଆଗତ କରି ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି,  ଦଣ୍ଡ ଦେବା ନୁହେଁ, ସମସ୍ତଙ୍କୁ ନ୍ୟାୟ ଦେବା ଆଇନର ଉଦ୍ଦେଶ୍ୟ । ଏହି ନୂଆ ଆଇନ ଦ୍ୱାରା ନାଗରିକଙ୍କ ଅଧିକାର ସୁରକ୍ଷିତ ରହିବ । ଏହି ବିଲକୁ ଆଜି ଷ୍ଟାଡିଂ କମିଟି ପାଖକୁ ପଠାଇ ଦିଆଯାଇଛି ।

 

Comments are closed.