Latest Odisha News

ସ୍ଥଳଭାଗ ମୁହାଁ ବାତ୍ୟା ଦାନା: ଏଯାବତ୍ ୩ ଲକ୍ଷ୍ୟ ଲୋକ ସ୍ଥାନାନ୍ତର 

ଭୁବନେଶ୍ୱର: ବଳ ଗୋଟାଇ ସ୍ଥଳଭାଗ ମୁହାଁ ଅଗ୍ରସର ହେଉଛି ବାତ୍ୟା ଦାନା । ଆଜି ବିଳମ୍ୱିତ ରାତିରୁ କାଲି ସକାଳ ଭିତରେ ସ୍ଥଳଭାଗ ଛୁଇଁବ। ଏଥିପାଇଁ ମୁଖ୍ୟ ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ବାତ୍ୟାର ପ୍ରଭାବ ସବୁଠୁ ଅଧିକ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏଥିପାଇଁ ଏହି ଜିଲ୍ଲାର ବିଭିନ୍ନ ତଳିଆ ଓ ବିପଦପୂର୍ଣ୍ଣ ଅଞ୍ଚଳମାନଙ୍କରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତରିତ କରାଯାଉଛି।

ସେପଟେ ବାତ୍ୟା ମୁକାବିଲାର ପ୍ରସ୍ତୁତି ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବୈଠକ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ୧୧ ଜିଲ୍ଲାର ୩୮ ବ୍ଲକ, ୯ ପୌରାଞ୍ଚଳ ବାତ୍ୟାର ପ୍ରଭାବିତ ହୋଇପାରେ। ମୋଟ ୧୬୫୩ ଗାଁ ବାତ୍ୟା ଦ୍ବାରା ପ୍ରଭାବିତ ହେବା ଆକଳନ କରାଯାଇଛି। ଏହି ସବୁ ଗାଁରୁ ମୋଟ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର ହେବାକୁ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଏଥିସହିତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ୨୪ଘଣ୍ଟା କାର୍ଯ୍ୟ କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି। ଜରୁରୀକାଳିନ ଯୋଗାଯୋଗ, ବାତ୍ୟା ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରସ୍ତୁତ ରହିବା ସହ ‘ଜିରୋ କାଜୁଆଲିଟି’କୁ ଆଧାର କରି କାମ କରାଯାଉଛି। ବରିଷ୍ଠ ଅଧିକାରୀଙ୍କୁ ପ୍ରଭାବିତ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଡ଼ାକ୍ତର ଦଳକୁ ମଧ୍ୟ ମୁତୟନ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ, ବିଦ୍ୟୁତ ଯୋଗାଣ, ମେଡ଼ିକାଲ ସହାୟତା ପାଇଁ ସରକାର ଧ୍ୟାନ ଦେଉଛନ୍ତି। ଏସବୁ ସ୍ଥିତିର ଅନୁଧ୍ୟାନ ପାଇଁ ଜନପ୍ରତିନିଧି ମଧ୍ୟ ନଜର ରଖିଛନ୍ତି। କେହି ଭୟଭୀତ ନହୋଇ ସତର୍କ ରୁହନ୍ତୁ, ଲୋକଙ୍କ ସରକାର ଆପଣଙ୍କ ସହିତ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

 

Leave A Reply

Your email address will not be published.