Latest Odisha News

BREAKING NEWS

ପଦ ଓ ଗୋପନୀୟତାର ଶପଥ ନେଲେ ତିନି ନୂଆ ମନ୍ତ୍ରୀ

ଭୁବନେଶ୍ୱର: ସରିଲା କଳ୍ପନା ଜଳ୍ପନା । ସାମ୍ନାକୁ ଆସିଲା ଲନୂଆ ମନ୍ତ୍ରୀଙ୍କ ନାଁ । ଆଜି ଭବ୍ୟ ସମାରୋହ ମଧ୍ୟରେ ଶପଥ ନେଇଛନ୍ତି ତିନି ନୂଆ ମନ୍ତ୍ରୀ । ତିନି ନୂଆ ମନ୍ତ୍ରୀଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । ତେବେ କାହାକୁ କେଉଁ ବିଭାଗ ମିଳିବ ତାହା ଜଣା ପଡିନାହିଁ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତିନି ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ତିନି ନୂଆ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାର୍ଣ୍ଡି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

ତିନି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆଜି ଲୋକ ସେବା ଭବନରେ ଆୟାେଜିତ କରାଯାଇଥିଲା । ସକାଳ ୯ଟା ୫୦ ମିନିଟରେ ତିନି ନୂଆ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ।

ତେବେ ନୂଆ ବାଚସ୍ପତି କିଏ ହେବ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି ।  ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କ ପରେ ଏହି ଆସନ ଖାଲି ପଡିଛି ।  ବିକ୍ରମ କେଶରୀଙ୍କ ସହ ମନ୍ତ୍ରୀ  ସମୀର ରଂଜନ ଦାଶ ଓ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରିପଦରୁ ଇସ୍ତଫା ଦେଇଥିଲେ ।  ଏହା ପରଠୁ ନୂଆ ମନ୍ତ୍ରୀ କିଏ ହେବେ, ସେନେଇ  ଉକ୍ରଣ୍ଠା ଜାରି ରହିଥିଲା । ଗତକାଲି ସନ୍ଧ୍ୟାରେ ଫୋନ କଲ ପାଇବା ପରେ ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାର୍ଣ୍ଡି ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ବୋଲି ସ୍ପଷ୍ଟ ହୋଇଥିଲା ।

 

ସୂଚନାଥାଉ କି, ତିନି ନୂଆ ମନ୍ତ୍ରୀଙ୍କ ମଧ୍ୟରୁ ବିକ୍ରମ କେଶରୀ ଆରୁଖ ଭଂଜନଗରରୁ କ୍ରମାଗତ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।  ୧୯୯୫ରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ  ୨୦୦୦. ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ।  ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସଂପର୍କ, ଜଙ୍ଗଲ ଓ ପରିବେଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବାବେଳେ  ଜୁନ ୨୦୨୨ରେ ବାଚସ୍ପତି ଦାୟିତ୍ୱ ନେଇଥିଲେ ।

ସେହିପରି  ସୁଦାମ ମାର୍ଣ୍ଡି ଏବେ ବାଙ୍ଗରିପୋଷି ବିଧାୟକ ଅଛନ୍ତି ।  ୩ ଥର ବିଧାୟକ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ମାର୍ଣ୍ଡି । ୧୯୯୦ରେ ସେ  ସ୍ୱାଧୀନ ପ୍ରାର୍ଥୀ ଭାବେ ବାଙ୍ଗରିପୋଷିରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ୨୦୦୪ରେ  ଜେଏମ୍ଏମ୍ ପ୍ରାର୍ଥୀ ଭାବେ ମୟୂରଭଂଜ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ  ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ବାଙ୍ଗରିପୋଷି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କ୍ରୀଡ଼ା ଓ ଯୁବ ବ୍ୟାପାର, ଆଦିବାସୀ କଲ୍ୟାଣ, ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ଭାବେ ମାର୍ଣ୍ଡି ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇଛନ୍ତି ।

ଅନ୍ୟପକ୍ଷେ  ଶାରଦା ନାୟକ ଏବେ ରାଉରକେଲା ବିଧାୟକ ଅଛନ୍ତି ।  ବିଜେଡି ଟିକେଟରେ ସେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୦୪, ୨୦୦୯, ୨୦୧୯ରେ ରାଉରକେଲାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୦୯ ରେ  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ  ।

Comments are closed.