ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଜାରି ରହିଥିବା ଏକ ଘୂର୍ଣ୍ଣିବଳୟ ଯୋଗୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଓଡ଼ିଶାର ୨୩ଟି ଜିଲ୍ଲାରେ ଘଡ଼ଘଡ଼ି ଏବଂ ପବନ ବହିପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି।
ତେବେ ୨୬ ଫେବୃଆରୀ ସକାଳ ୮.୩୦ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର କିଛି କିଛି ସ୍ଥାନରେ ବଜ୍ରପାତ ସହିତ ବର୍ଷା ଏବଂ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ସୂଚନା ଦିଆଯାଇଛି।
ସେହିପରି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଝଡ଼ବର୍ଷା ହୋଇପାରେ ବୋଲି ମଧ୍ୟ କୁହାଯାଇଛି। ୩ ଦିନ ପରେ ପାଣିପାଗରେ ସୁଧାର ଆସିବା ସହ ପାଗ ଶୁଖିଲା ରହିବ। ସାରା ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ୨-୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରାଯାଇଛି।