Latest Odisha News

ସ୍ୱପ୍ନିଳଙ୍କ ସାକାର ହେଲା ସ୍ୱପ୍ନ

ପ୍ୟାରିସ: ଭାରତକୁ ଗୌରବାନ୍ୱିତ କରିଛନ୍ତି ସ୍ୱପ୍ନିଳ କୁସାଲେ । ପ୍ୟାରିସ ଅଲିମ୍ପିକ୍ସରେ ଏହି ଯୁବ ଶୁଟର ୫୦ ମିଟର ରାଇଫଲ ଥ୍ରୀ ପ୍ରୋନ ବିଭାଗରେ ବ୍ରୋଞ୍ଜ ପଦକ ଜିତି ନିଜ ସ୍ୱପ୍ନ ସାକାର କରିଛନ୍ତି ସ୍ୱପ୍ନିଳ । ଏକ କୃଷକ ପରିବାରରୁ ଆସିଥିଲା ସ୍ୱପ୍ନିଳ ପିଲାବେଳୁ ଖେଳ ପ୍ରତି ଆଗ୍ରହୀ ଥିଲେ । ତାଙ୍କ ବାପା ୫୭ ବର୍ଷୀୟ ସୁରେଶ କୁସାଲେ ପୁଅର ମନ ରଖି ରେସଡେନ୍ସିଆଲ ସ୍କୁଲକୁ ପାଠ ପଢ଼ିବା ପାଇଁ ଛାଡିଥିଲେ । ଏହା ପରେ ସେ ପୁଣେରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ । ତାଙ୍କ ଗ୍ରାମ ଓର୍ଗାନିକ ଚାଷ ପାଇଁ ଖ୍ୟାତିଲାଭ କରିଛି ।

ସ୍ୱପ୍ନିଳ ଜଣେ ଶାନ୍ତ ସ୍ୱଭାବର ମେଧାବୀ ଛାତ୍ର ଥିଲେ । ସେ ପୁଣେରେ ଟିଟିଇ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ୧୪ ବର୍ଷ ବୟସରେ ମହାରାଷ୍ଟ୍ରର କ୍ରୀଡା ପ୍ରବୋଧିନୀ ଯୋଜନାରେ ସେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ । ଶୁଟିଂରେ ସେ ସିଦ୍ଧହସ୍ତ ଜାଣିବା ପରେ କୋଚ ତାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ ବୋଲି ତାଙ୍କ ମାଆ ଅନୀତା କହିଛନ୍ତି । ଅନୀତା ସେହି ଅଂଚଳର ସରପଂଚ ଅଛନ୍ତି । ୨୦୧୫ ଏସିଆନ ଚାମ୍ପିୟନଶିପରେ ମାତ୍ର ୧୫ ବର୍ଷ ବୟସରେ ସେ ଟାଇଟଲ ହାସଲ କରିଥିଲେ ।

ଏହା ପରେ ଜାତୀୟ ଚାମ୍ପିୟନଶିପରେ ଗଗନ ନାରଙ୍ଗ ଓ ଚୈନୀ ସିଂଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ଜିତିଥିଲେ । ସେହି ବର୍ଷ ସେ ରେଲୱେରେ ଟିକେଟ କଲେକ୍ଟର ଭାବେ ଯୋଗ ଦେଇଥିଲେ । ପରେ ସେ ଅର୍ଥ ଯୋଗାଡ କରି ୩ ଲକ୍ଷ ଟଙ୍କାରେ ଏକ ରାଇଫଲ କିଣିଥିଲେ । ୨୦୧୭ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ତାଙ୍କର ଜଣେ ସିନିୟର ସହଯୋଗ କରିବା ପରେ ସେ ୯ ଲକ୍ଷ ଟଙ୍କା ମୂଲ୍ୟର ଆଉ ଏକ ରାଇଫଲ କିଣିଥିଲେ । ୩ ଥର ଜୁନିୟର ବିଶ୍ୱକପ ଓ ଏସିଆନ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିବା ସତ୍ୱେ ଭାରତୀୟ ସିନିୟର ଟିମରେ ସୁଯୋଗ ପାଇ ନ ଥିଲେ ।

ସେ କ୍ୟାମ୍ପରେ ଯୋଗ ଦେବା ବେଳେ ୧୦ ମିଟର ଏୟାର ରାଇଫଲରେ ଅଭ୍ୟାସ ଆରମ୍ଭ କରିଥିଲେ ବୋଲି କୋଚ ଦୀପାଳୀ ଦେଶପାଣ୍ଡେ କହିଛନ୍ତି । ପରେ ୫୦ ମିଟରରେ ଧୂରନ୍ଦର ସାଜିଥିଲେ । ୨୦୨୨ କାଇରୋରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପରେ ସେ ଚର୍ଚ୍ଚାକୁ ଆସିଥିଲେ । ସେ ପ୍ରଭାବୀ ପ୍ରଦର୍ଶନ କରି ପ୍ୟାରିସ କୋଟା ହାସଲ କରିଥିଲେ । ଆଉ ଏବେ ସେ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି ।

Comments are closed.