Latest Odisha News

BREAKING NEWS

ରେଡିଓ କୋଲାର ପାଇଁ ବାଘ ମୃତ୍ୟୁ ଖବର ଗୁଜବ କହିଲେ ସରକାର

ନୂଆଦିଲ୍ଲୀ: ଭାରତରେ ଚିତା ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବିୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ସେମାନଙ୍କ ସ୍ୱଚ୍ଛ ବିଚରଣ ଓ ଖାଦ୍ୟ ଶିକାର ପାଇଁ ମଧ୍ୟ ଏହି ଅଭୟାରଣ୍ୟରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ତେବେ ଏହି କୋଡିଏ ଚିତାଙ୍କ ମଧ୍ୟରୁ ଏ ଯାଏ ପୂର୍ଣ୍ଣବୟସ୍କ ୫ଟି ଚିତାଙ୍କର ଏହି ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିଲାଣି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ପ୍ରାଥମିକ ବିଶ୍ଳେଷଣ ଅନୁସାରେ ଏହି ପାଂଚଟି ଯାକ ‘ଚିତା’ ପ୍ରାକୃତିକ କାରଣରୁ ମରିଛନ୍ତି । ଦେଶରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଏନ୍‌ଟିସିଏ ସର୍ବୋଚ୍ଚ ସଂସ୍ଥା । ଏହା ମଧ୍ୟ ଚିତା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି ।

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ କୁନୋରେ ଚିତାଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି । ରେଡିଓ କୋଲାର ବେକରେ ବନ୍ଧାଯାଇଥିବା କାରଣଠାରୁ ଆରମ୍ଭ କରି ଆହୁରି ଅନେକ କଥାକୁ ଏହି ବାଘ ମୃତ୍ୟୁ ସହିତ ଯୋଡାଯାଇଛି । ଗଣମାଧ୍ୟମର ଏହି ରିପୋର୍ଟ ଅନୁମାନ ସର୍ବସ୍ୱ ଓ କପୋଳକଳ୍ପିତ । ଏହା ଗୁଜବ ଓ ଅସତ୍ୟ । ଏଭଳି ଖବର ପଛରେ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ନାହିଁ ବୋଲି ଏନ୍‌ଟିସିଏ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।

‘ପ୍ରୋଜେକ୍ଟ ଚିତା’ କାର୍ଯ୍ୟକ୍ରମକୁ ଏକ ବର୍ଷ ମଧ୍ୟ ହୋଇନାହିଁ । ଅତଏବ ଏତେ କମ୍ ସମୟରେ ଏହି ପ୍ରୋଜେକ୍ଟର ଫଳାଫଳକୁ ସଫଳତା ଓ ବିଫଳତା ଦୃଷ୍ଟିରୁ ବିିିଚାର କରି ଏକ ନିଷ୍ପତ୍ତିରେ ପହଂଚିବାର ସମୟ ଆସିନାହିଁ । ଚିତାକୁ ଭାରତ ଭଳି ଏକ ନୂଆ ପରିବେଶରେ ପୁନଃ ପ୍ରବେଶ କରାଇ ସେମାନଙ୍କୁ ବଂଚାଇ ରଖିବା ଓ ବଂଶବୃଦ୍ଧି କରାଇବା ଏକ ଦୀର୍ଘମିଆଦି କାମ । ବିଗତ ୧୦ମାସ ମଧ୍ୟରେ ଏହି ପ୍ରକଳ୍ପ ସହିତ ସମ୍ପୃକ୍ତ ସମସ୍ତ ପକ୍ଷ ଚିତା-ରକ୍ଷଣାବେକ୍ଷଣ ଓ ପରିଚାଳନାରେ ମୂଲ୍ୟବାନ ଅଭିଜ୍ଞତା ଅର୍ଜନ କରିଛନ୍ତି । ସେମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି କିପରି ଅଧିକ ହେବ ସେ ବାବଦରେ ଅନେକ ଅଭିଜ୍ଞତା ମିଳିଛି । ଏଥିରୁ ଜଣାପଡୁଛି ଯେ ଏହି ପ୍ରୋଜେକ୍ଟ ନିଶ୍ଚିତ ସଫଳ ହେବ । ଏଭଳି ସମୟରେ ଚିତା ମୃତ୍ୟୁକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର କଳ୍ପନା ପ୍ରସୂତ କାହାଣୀ ପ୍ରକାଶ କରିବା ଠିକ୍ ନୁହେଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.