Latest Odisha News

BREAKING NEWS

ବାଘଛାଲ ଡିଲ୍ ବେଳେ କାବୁ କଲା ବନବିଭାଗ, ୬ ଅଭିଯୁକ୍ତ ଗିରଫ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ । କଳାହାଣ୍ଡି ଧର୍ମଗଡ ରେଞ୍ଜ ଏବଂ ଛତିଶଗଡ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଡିଲ୍ ଚାଲୁଥିବା ବେଳେ ମାଡ଼ିବସିଲା ବନ ବିଭାଗ । ଘଟଣାରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ ୬ ଜଣ ଶିକାରୀଙ୍କୁ ଗିରଫ କରିଛି ବିଭାଗ ।

ଛତିଶଗଡ ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଏବଂ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ପକ୍ଷରୁ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ଠାରେ ଡିଲ୍ ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରେ ଏକ କରଲା ପତରିଆ ବାଘ ଛାଲ ଜବତ ହେବା ସହ ୫ ଜଣଙ୍କୁ ଅଟକ ରଖିଥିଲା ବନ ବିଭାଗ ଓ ଅଟକ ବ୍ୟକ୍ତି ମାନଙ୍କ ସୂଚନା ଆଧାରରେ ଜୟପାଟଣା ଫରେଷ୍ଟ ରେଞ୍ଜର ଚଞ୍ଚରାଗୁଡା ଗ୍ରାମର ବାଘ ଶିକାରୀ ରିଷି ମାଝୀ ଘରେ ଚଢାଉ କରିଥିଲେ ।

ସେଠାରେ ଶିକାରରେ ବ୍ୟବହାର ହେଇଥିବା ଏକ ଦେଶୀ ବନ୍ଧୁକ, ଅଜଗର ସାପର ଛାଲ, ଶିକାରରେ ବ୍ୟବହୃତ ହେଉଥିବା ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିଲା । ଏହାପରେ ଅଭିଯୁକ୍ତ ରିଷି ମାଝୀ କୁ ଧରି ବନ ବିଭାଗ ଶୀକାର ସ୍ଥଳକୁ ଯାଇ ସବୁ ପ୍ରମାଣ ସଂଗ୍ରହ କରିଥିଲା ।

ଆଜି ନବରଙ୍ଗପୁର ଜିଲ୍ଲା ର ତିନି ଓ କଳାହାଣ୍ଡି ଜିଲ୍ଲାର ତିନି ଜଣ ସମୁଦାୟ ଛଅ ଜଣ ଅଭିଯୁକ୍ତ ଙ୍କୁ କୋକସରା କୋର୍ଟ କୁ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ହାଡେସିଲ ଗ୍ରାମର ନବ ମାଝୀ (୩୫), ଧୋବା ମାଝୀ (୨୪) ଧନଶୁଲି ଗ୍ରାମର ୠଷି ମାଝୀ (୬୦) ଓ ନବରଙ୍ଗ ପୁର ଜିଲ୍ଲାର ପାପଡ଼ା ହାଣ୍ଡି ବ୍ଲକ ଟିକ୍ରାପଡ଼ା ର ଗଣେଶ ଗଉଡ (୨୫) ଲକ୍ଷ୍ମଣ ଗଉଡ (୫୦) ଖତୀଗୁଡ଼ା ଗଉଡ ଦେଓପାଲି କୁର୍ମେଲି ର ନବ ନାଏକ (୩୦) ପ୍ରମୁଖଙ୍କ ଅଭିଯୁକ୍ତଙ୍କ ଠାରୁ ଏକ କାଳରପତରିଆ ବାଘ ଛାଲ ସହିତ ଦେଶୀ ବନ୍ଧୁକ, ମୋବାଇଲ, ଦୁଇଟି ବାଇକ, ଅଜଗର ଛାଲ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କ ଦେହାଂସ ଜବତ କରାଯାଇଛି ବୋଲି ସୂଚନା ଦେଇଛନ୍ତି କଳାହାଣ୍ଡି ଡିଏଫଓ କଳାଇବାନନ ।

ବାଘ ଛାଲ ଜବତ ସମୟର ଏହି ମିଳିତ ଚଢ଼ାଉରେ କଳାହାଣ୍ଡି ଏସିଏଫ୍ ବିମଳ ଟୋପ୍ନୋ, ଫରେଷ୍ଟର ନିହାର ଠାକୁର, ଯୋଗେନ୍ଦ୍ର ମାଝୀ, ଚିନ୍ମୟ ଦାସ, କର୍ମଚାରୀ ଲିକୁ ଦାସ ଓ ଉଦନ୍ତି ସୀତା ନଦୀ ବାଘ ସଂରକ୍ଷଣ ବନ୍ୟ ବିଭାଗ ଓ କଳାହାଣ୍ଡି ଜିଲ୍ଲା କର୍ମଚାରୀ ମାନେ ସାମିଲ ହୋଇଥିଲେ ।

 

Comments are closed.