Latest Odisha News

BREAKING NEWS

ସାମ୍ପ୍ରଦାୟିକ ଉତ୍ତେଜନା ପରେ କଡ଼ା ନିରାପତ୍ତା ବଳୟ ମଧ୍ୟରେ କେନ୍ଦ୍ରାପଡ଼ା ସହର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ କଡ଼ା ନିରାପତ୍ତା ବ୍ୟବସ୍ଥା ହୋଇଛି ।

ମିଳିଥିବା ସୂଚନାନୁଯାୟୀ, କୌଣସି ଅପ୍ରିତିକର ଘଟଣାକୁ ପ୍ରଶୟ ନଦେବାକୁ ସହର ମଧ୍ୟରେ ଥିବା ସମ୍ବେଦନଶୀଳ ସ୍ଥାନମାନଙ୍କରେ ପ୍ରାୟ ୧୧ ପ୍ଲାଟୁନ୍ ସଶସ୍ତ୍ର ପୋଲିସ ମୂତୟନ ହୋଇଛନ୍ତି ।

ସହରରେ ଉତ୍ତେଜନା ହ୍ରାସ ଲାଗି ତଥା ହିଂସାତ୍ମକ ଘଟଣା ନହେବାକୁ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । କେତେକ ନିଷେଧାଞ୍ଚଳରେ ଅଧିକ ଲୋକଙ୍କ ସମାଗମକୁ ବାରଣ କରାଯାଇଥିବା ସହିତ ବିଭିନ୍ନ ସ୍ଥାନ ମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।

ଇତିମଧ୍ୟରେ ରାଷ୍ଟ୍ରୀୟ ସୁରକ୍ଷା ସମିତି ଗୁରୁବାର ସକାଳଠାରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି । ଆନ୍ଦୋଳକାରୀମାନେ ପିକେଟିଂ କରିବା ସହିତ ସହରର ଅଧିକାଂଶ ରାସ୍ତାକୁ ଅବରୋଧ କରି ରାସ୍ତା ଉପରେ ଟାୟାର ଜାଳି ପଥ ଅବରୋଧ କରିଛନ୍ତି ।

ସଦ୍ୟ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ସହରରେ ସେପରି କୌଣସି ଅପ୍ରୀତିକର ଘଟଣା ଘଟିବାର ସୂଚନା ମିଳିନାହିଁ ।

ସହରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ଯାଇ କେନ୍ଦ୍ରାପଡ଼ା ଏଡ଼ିଏମ ବସନ୍ତ ରାଉତ ଗୁରୁବାର ଦିନ କେନ୍ଦ୍ରାପଡ଼ା ପୌରାଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ, କେନ୍ଦ୍ରାପଡ଼ା ସହରରେ ଇଣ୍ଟରନେଟ ସେବାକୁ ବିଚ୍ଛିନ୍ନ କରିଦେବାକୁ କେତେକ ଇଣ୍ଟରନେଟ ସେବା ସଂସ୍ଥାକୁ ଅନୁରୋଧ କରିଛନ୍ତି ।

“ଆମେ ପରିସ୍ଥିତିକୁ ନୀରିକ୍ଷଣ କରିବା ସହିତ ସ୍ଥତି ପରଖି ସହରରେ ଲାଗୁ ହୋଇଥିବା ସମସ୍ତ କଟକଣାକୁ ଧିରେ ଧିରେ ଉଠାଇବାକୁ ଚେଷ୍ଟା କରିବୁ,” ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କେନ୍ଦ୍ରାପଡ଼ା ଏଡ଼ିଏମ ।

ସେ ଆହୁରି ମଧ୍ୟ କହିଛନ୍ତି, ସହରରେ ତୁରନ୍ତ ଶାନ୍ତି ଓ ସଦଭାବ ଫେରାଇ ଆଣିବାକୁ ଉଭୟ ସମ୍ପ୍ରଦାୟର ମୁରବୀ ସ୍ଥାନୀୟ ବ୍ୟକ୍ତିମାନଙ୍କୁ ନେଇ ଏହି ଶାନ୍ତି କମିଟି ବୈଠକ ଅନୁଷ୍ଠିତ କରାଇ ବୁଝାସୁଝା କରିବାକୁ ପ୍ରଶାସନ ଉଦ୍ୟମ ଜାରି ରଖିଛି ।

ମିଳିଥିବା ସୂଚନାନୁଯାୟୀ, ସହର ମଧ୍ୟରେ ଥିବା ସରକାରୀ ହାଇସ୍କୁଲ ପରିସର ମଧ୍ୟରେ ଏକ ସମ୍ପ୍ରଦାୟ ପକ୍ଷରୁ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳନ କରିବାକୁ ଚାହୁଁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇନଥିଲା । ତେବେ ବୁଧବାର ଦିନ ଅନ୍ୟ ଏକ ସମ୍ପ୍ରଦାୟ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରିବାକୁ ଏକ ସଭା ଆୟୋଜନ କରିଥିବା ବେଳେ ଏହାକୁ ଅନ୍ୟ ସମ୍ପ୍ରଦାୟର କିଛି ବ୍ୟକ୍ତି ପ୍ରତିରୋଧ କରିଥିଲେ ।

ବୁଧବାର ଦିନ ସରକାରୀ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଥିବା ସଭାକୁ ବିରୋଧ କରିବାକୁ ଏକ ଗୋଷ୍ଠୀ ପକ୍ଷରୁ କିଛି ବ୍ୟକ୍ତି ସଭାସ୍ଥଳକୁ ଆସିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଆଇନ ଶୃଙ୍ଖଳା ଭଙ୍ଗ ହେବା ଆଶଙ୍କା କରି ପୋଲିସ ବିକ୍ଷୋଭକାରୀଙ୍କୁ ଘଟଣାସ୍ଥଳରୁ ବାହାର କରିଦେଇଥିଲେ । ପରେ ଜିଲ୍ଲା ପ୍ରଶାସନ ସଭାକୁ ବନ୍ଦ କରିଦେବାକୁ ବାଧ୍ୟ ହୋଇଥିଲେ ।

Leave A Reply

Your email address will not be published.