ହାମିଲଟନ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟକୁ ନ୍ୟୁଜିଲାଣ୍ଡ ୪୨୩ ରନର ବୃହତ ବ୍ୟବଧାନରେ ଜିତି ନେଇଛି । ଅବଶ୍ୟ ନ୍ୟୁଜିଲାଣ୍ଡ ୧-୨ରେ ସିରିଜ ପରାଜୟବରଣ କରିଛି । ନ୍ୟୁଜିଲାଣ୍ଡର ମହାନ ବୋଲର ସାଉଦିଙ୍କ ଟେଷ୍ଟ କ୍ୟାରିୟରର ଏହା ଶେଷ ମୁକାବିଲା ଥିଲା । ମ୍ୟାଚ ପରେ ସାଉଦି ଭାବପ୍ରବଣ ହୋଇ ପଡିଥିଲେ । ଏହି ମ୍ୟାଚ ଦେଖିବା ପାଇଁ ପତ୍ନୀ ଏବଂ ଦୁଇ ଝିଅ ମଧ୍ୟ ଆସିଥିଲେ । ସାଉଦି ନ୍ୟୁଜିଲାଣ୍ଡ ପକ୍ଷରୁ ଅନେକ ରେକର୍ଡ କରିଛନ୍ତି । ସେ ନ୍ୟୁଜିଲାଣ୍ଡ କ୍ରିକେଟ ଏବଂ ପରିବାରଲୋକଙ୍କ ସହଯୋଗକୁ ଏହି ଅବସରରେ ଭୂୟସୀ ପ୍ରଶଂସା କରିଥିଲେ ।
ସେ ୧୦୭ ମ୍ୟାଚରେ ୩୯୧ ୱିକେଟ ଅକ୍ତିଆର କରିଥିଲେ । ୧୫ ଥର ୫ରୁ ଊର୍ଦ୍ଧ୍ୱ ୱିକେଟ ମଧ୍ୟ ନେଇଛନ୍ତି । ୧୯ ବର୍ଷରୁ କମ କ୍ରିକେଟରୁ ସେ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ପ୍ରଭାବିତ କରି ଆସିଛନ୍ତି । ଇଂଲଣ୍ଡ ଖେଳାଳି ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ । ମହାନ ଖେଳାଳି ରିଚାର୍ଡ ହାଡଲୀ ତାଙ୍କୁ ସମ୍ମାନୀତ କରିଥିଲେ । ହାଡଲୀଙ୍କ ପରେ ସେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ୱିକେଟ ନେଇଛନ୍ତି ।