ନୂଆଦିଲ୍ଲୀ: ବିଜ୍ଞାନ ଦୁନିଆରେ ଏକ ବଡ ଚମତ୍କାର ଦେଖିବାକୁ ମିଳିଛି । ଆମେରିକା ୟୁନିଭରସିଟି ଅଫ ପେନସିଲଭେନିୟା ଓ ୟୁନିଭରସିଟି ଅଫ ମିଶିଗନର ବୈଜ୍ଞାନିକମାନେ ଏକ କ୍ଷୁଦ୍ରକାୟ ମାଇକ୍ରୋ ରୋବଟ ପ୍ରସ୍ତୁତ କରିଛନ୍ତି । ଏହାର ଆକାର ଲୁଣର ଦାନାଠାରୁ ମଧ୍ୟ ଛୋଟ । ଏହି ରୋବଟ ମେଡିକାଲ ସାଇନ୍ସକୁ ନୂଆ ଦିଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଏହି କୁନି ରୋବଟ ଅନୂଭବ ଏବଂ ଚିନ୍ତା କରିପାରିବ ବୋଲି ଗବେଷକମାନେ ଦାବୀ କରିଛନ୍ତି । ଶରୀର ମଧ୍ୟରେ ଏହି ରୋବଟକୁ ଛଡାଯାଇ ରୋଗର କାରଣ ଡାକ୍ତରମାନେ ଜାଣିପାରିବେ ।
ଯେଉଁ ସ୍ଥାନରେ ଔଷଧ ପଂହଚି ପାରି ନାହିଁ ସେଠାରେ ଏହି ରୋବଟ ଏହାକୁ ପଂହଚାଇ ପାରିବ । ସିଲିକନ, ଟାଇଟେନିୟମରେ ଏହି ରୋବଟକୁ ପ୍ରସ୍ତୁତ କରାଯାଇଥିବାରୁ ଏହା ସହଜରେ ଖରାପ ହେବନି । ଏହି ମାଇକ୍ରୋ ରୋବଟ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଏ ପର୍ଯ୍ୟନ୍ତ ଏହାକୁ ମନୁଷ୍ୟ କ୍ଷେତ୍ରରେ ବ୍ୟବହାର କରାଯାଇ ନାହିଁ । ଆଉ କିଛି ପରୀକ୍ଷା ନିରୀକ୍ଷା ପରେ ଏହାକୁ ବ୍ୟବହାର କରାଯାଇପାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି ।