Latest Odisha News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ଟିଏମସି ସାଂସଦ

ଭୁବନେଶ୍ୱର: ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଛି । ଏହାକୁ ନେଇ ବର୍ଷିଛନ୍ତି ଟିଏମସି ସାଂସଦ ଡାରେକ ଓବ୍ରାଏନ । ପ୍ରଥମ ଥର ପାଇଁ ରାଜ୍ୟ ବାହାରର କୌଣସି ଦଳର ନେତା ନବୀନ ଏବଂ ବିଜେଡି ଉପରେ ବର୍ଷିଛନ୍ତି।

ଟିଏମସି ସାଂସଦ ଓବ୍ରାଏନ କହିଛନ୍ତି, ବିଜେପିର ‘ବିଭାଜିତ ଏଜେଣ୍ଡା’କୁ ବିଜେଡି ସମର୍ଥନ କରୁଛି। ତେଣୁ ବିଜେପି ନିଜ ଉଦ୍ଦେଶ୍ୟରେ ସଫଳ ହେଉଛି। ଆଞ୍ଚଳିକ ଦଳ ଭାବେ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେହି ପଚାରନ୍ତି ନାହିଁ । କିନ୍ତୁ ବିଜେଡି ବିଜେପିର ଗୋଟିଏ ସରକାରୀ ସମର୍ଥକ ପାଲଟିଥିବା ବେଳେ ଓ୍ୱାଇଏସଆର କଂଗ୍ରେସ ମଧ୍ୟ ଅଣ ସରକାରୀ ସମର୍ଥକ ପାଲଟିଛି ବୋଲି ଏନଡିଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଓବ୍ରାଏନ।

ଟିଏମସି ଏବଂ ୧୭ ବିରୋଧୀ ଦଳ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ପରାଜିତ ହୋଇଛନ୍ତି। ସେହିପରି ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏନଡିଏ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡଙ୍କ ନାଁ ଘୋଷଣା କରିଛି। ଅନ୍ୟପଟେ କଂଗ୍ରେସ ମାର୍ଗାରେଟ୍‌ ଆଲ୍‌ଭାଙ୍କ ନାଁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏହାକୁ ନେଇ ଟିଏମସି ଅସନ୍ତୋଷ ପ୍ରକାଶ କରିଛି। କଂଗ୍ରେସ କୌଣସି ଆଲୋଚନା ନକରି ପ୍ରାର୍ଥୀ ଘୋଷଣା କରିଥିବାରୁ ଟିଏମସି ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବ ବୋଲି କହିଛି।

ଏହାପରେ ମମତା ବାନାର୍ଜୀଙ୍କ ଦଳର ସାଂସଦ ଡାରେକ ଓବ୍ରାଏନ ବିଜେଡି ସୁପ୍ରିମୋଙ୍କ ଉପରେ ବର୍ଷିଛନ୍ତି। ନବୀନଙ୍କ ସମ୍ପ୍ରତି ଇଟାଲୀ ଗସ୍ତକୁ ନେଇ ଟିଏମସି ସାଂସଦ କହିଛନ୍ତି, ଭାଟିକାନରେ କୌଣସି ମୁଖ୍ୟମନ୍ତ୍ରୀ ସୁନ୍ଦର ଫଟୋ ଉଠାଇବାକୁ ପସନ୍ଦ କରିବ ନାହିଁ ବରଂ ପାରୁଛ ଯଦି ବିଜେପି ସହିତ ସଂସଦ ଭିତରେ ଓ ବାହାରେ ଲଢେଇ କର। କହିରଖୁଛୁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପୋପଙ୍କୁ ଭେଟିବାକୁ ପ୍ରୟାସ କରି ବିଫଳ ହୋଇଛନ୍ତି। ଆଉ ନବୀନ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି।

ଟିଏମସି ସାଂସଦଙ୍କ ଅଭିଯୋଗର ଜବାବରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ବିଜେଡି ଦେଶର ଏକମାତ୍ର ଦଳ ଯାହାକୁ ଲୋକେ କେବଳ ବିଶ୍ୱାସକୁ ନିଅନ୍ତିନି ବରଂ ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି। ୨୦୧୯ ନିର୍ବାଚନ ପରେ, ମୁଖ୍ୟମନ୍ତ୍ରୀ ସର୍ବଦା କେନ୍ଦ୍ର ସହ ସହଯୋଗୀ ତଥା ଗଠନମୂଳକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛି। ଦଳ ଓଡିଶାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରସଙ୍ଗ ଭିତ୍ତିକ ସମର୍ଥନ କରୁଛି ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତି ପଦ ପାଇଁ ଉଭୟ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ଲେନିନ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ଓଡିଶାର ଏକ ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ଧନଖଡ ଜଣେ କୃଷକ, ଜଣେ ଆଇନଜୀବୀ ତଥା ରାଜ୍ୟପାଳ ଭାବରେ ତାଙ୍କର ଅଭିଜ୍ଞତା ରହିଛି। ତେଣୁ ବିଜେଡି ସମର୍ଥନ କରିଛି ବୋଲି ଲେନିନ କହିଛନ୍ତି।

ଡାରେକ ଓବ୍ରାଏନଙ୍କୁ କଡା ଜବାବ ଦେବାକୁ ଯାଇ ସେ କହିଛନ୍ତି, ଡାରେକଙ୍କ ବିବୃତ୍ତି ହତାଶାର ପରିଭାଷା। ରାଷ୍ଟ୍ରପତି ପଦ ପାଇଁ ଯଶବନ୍ତ ସିହ୍ନା ଟିଏମସିର ପ୍ରାର୍ଥୀ ଥିଲେ । କିନ୍ତୁ ଭୋଟିଂ ବେଳେ ଟିଏମସିର ବିଧାୟକ ଏବଂ ସାଂସଦମାନେ ମୁର୍ମୁଙ୍କୁ ଭୋଟ୍ ଦେଇ କ୍ରସ୍ ଭୋଟିଂ କରିଛନ୍ତି।

ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ମୁଖ୍ୟତଃ ସଂସଦରେ କେଉଁ ଦଳର ସାଂସଦ ଅଧିକ ରହିଛନ୍ତି ତା ଉପରେ ନିର୍ଭର କରେ। ଏପରି ସ୍ଥିତିରେ ବିଜେପିର ଯେତେବେଳେ ସଂସଦରେ ଅଧିକ ସାଂସଦ ରହିଛନ୍ତି ସେତେବେଳେ ଏପକି ନିର୍ବାଚନକୁ ନେଇ ଟିଏମସିର ଅଭିଯୋଗର ଆଧାର ନାହିଁ ବୋଲି ଲେନିନ କହିଛନ୍ତି।

Leave A Reply

Your email address will not be published.