Latest Odisha News

ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବେସାମରିକ ବିମାନ ଯୋଗେ ଆଜି ଫେରିଲେ ୧୩ ଶହ ଭାରତୀୟ

ଭୁବନେଶ୍ୱର: ‘ଅପରେସନ ଗଙ୍ଗା’ ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୭ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଆଜି ୧୩୧୪ ଜଣ ଭାରତୀୟ ନାଗରିକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥିସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ଵତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା ୧୭ ହଜାର ୪ଶହରୁ ଅଧିକ ଭାରତୀୟମାନଙ୍କୁ ଫେରାଇ ଅଣାସରିଛି । ୭୩ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଏବେସୁଦ୍ଧା ଫେରିଥିବା ମୋଟ ଭାରତୀୟମାନଙ୍କ ସଂଖ୍ୟା ୧୫ ହଜାର ୨୦୬ରେ ପହଞ୍ଚିଛି । ଭାରତୀୟ ବାୟୁ ସେନାର ଗୋଟିଏ ସି -୧୭ ବିମାନ ଜରିଆରେ ବିଦେଶରୁ ୨୦୧ ଜଣ ଭାରତୀୟ ଆଜି ସନ୍ଧ୍ୟାରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ଏଥିପୂର୍ବରୁ, ଅପରେସନ ଗଙ୍ଗା ଅଧୀନରେ ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି।

ଆଜି ପହଞ୍ଚିଥିବା ସ୍ଵତନ୍ତ୍ର ବିମାନ ମଧ୍ୟରୁ ୪ଟି ନୂଆଦିଲ୍ଲୀରେ ଏବଂ ୨ଟି ମୁମ୍ବାଇରେ ଅବତରଣ କରିଛି । ଆଉ ଗୋଟିଏ ବିମାନ ଆଜି ସନ୍ଧ୍ୟାରେ ପହଞ୍ଚିବ ବୋଲି ଆଶା କରାଯାଉଛି । ବୁଦାପେଷ୍ଟରୁ ୫ଟି, ବୁକାରେଷ୍ଟ ଏବଂ ସୁଚେଭାରୁ ଗୋଟିଏ ଲେଖାଏଁ ବିମାନ ଭାରତରେ ପହଞ୍ଚିଛି।

ଆସନ୍ତାକାଲି, ଦୁଇଟି ସ୍ଵତନ୍ତ୍ର ବେସାମରିକ ବିମାନ ସୁଚେଭାରୁ ଆସିବ ବୋଲି ଆଶା କରାଯାଉଛି, ଏଥିରେ ୪୦୦ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଅଣାଯିବ ।

Comments are closed, but trackbacks and pingbacks are open.