Latest Odisha News

BREAKING NEWS

ବ୍ୟଞ୍ଜନ ଦ୍ୱାଦଶୀ: ୮୫୧ ପ୍ରକାର ଖାଦ୍ୟରେ ମହକିଲା ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନ

ପୁରୀ: ଆଜି ହେଉଛି ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥୀ । ଆଜିର ଦିବସରେ ଯଶୋଦା ମାଆ ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି । ଏହି ଅବସରରେ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଛି । ରାଧାକୃଷ୍ଣଙ୍କ ପାଖରେ ପ୍ରାୟ ୮୫୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏତେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ପୁରୀର ଏହି ଆଶ୍ରମର ବିଶେଷ ଖ୍ୟାତି ରହିଛି ।

ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ ତିଥିରେ ପୁରୀର ଗୌରବିହାର ଆଶ୍ରମରେ ବିଭିନ୍ନ ରକମର ବ୍ୟଞ୍ଜନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବା ସହ ଭକ୍ତ ମାନଙ୍କୁ ପରସାଯାଇଛି । ବିଭିନ୍ନ ପିଠା, ମିଠା, ଅନ୍ନ, ଶାଗ ମୁଗ, ରସା, ପାମ୍ପଡ, ରାଇତା, ଚଟଣୀ, କ୍ଷୀରି ଆଦି ସୁସ୍ୱାଦୁ ପ୍ରସାଦ ନିଶୁଳ୍କ ସେବନ କରିଛନ୍ତି ଶ୍ରଦ୍ଧାଳୁ । ପୁରୀ ବେଳାଭୂମି ଠାରୁ ମାତ୍ର ଦୁଇ କିଲୋ ମିଟର ଦୂରରେ ଅବସ୍ଥିତ ଗୌଡିୟ ସମ୍ପ୍ରଦାୟର ଆଶ୍ରମ ଗୌର ବିହାର ଆଶ୍ରମ ବା ମାତା ମଠ । ବର୍ଷ ତମାମ ଏହି ମଠର ପ୍ରାକୃତିକ ପରିବେଶ ଓ ଆଧ୍ୟାତ୍ମିକ କାରୁକାର୍ଯ୍ୟ ଶ୍ରୀକ୍ଷେତ୍ର ଆସୁଥିବା ବିଭିନ୍ନ ଭକ୍ତ ଙ୍କୁ ଆକୃଷ୍ଟ କରୁଥିବାବେଳେ, ମାର୍ଗଶୀର ଶୁକ୍ଲ ଦ୍ଵାଦଶୀର ପବିତ୍ର ତିଥିରେ କୃଷ୍ଣ ସମର୍ପିତ ନାନାଦି ବ୍ୟଞ୍ଜନ କୁ ସେବନ କରିବାକୁ ଭିଡ ଲାଗିରହେ । ପୂର୍ବଦିନ ଠାରୁ ଏହାର ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ମହିଳା ପ୍ରସାଦ ତିଆରିରେ ସାମିଲ ହୋଇଥାନ୍ତି । ପ୍ରତ୍ୟେକ ବର୍ଷ ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବା ବେଳେ ଚଳିତ ଥର ମଧ୍ୟ ୮୫୧ ପ୍ରକାର ବ୍ୟଞ୍ଜନରେ ଆପାୟିତ ହୋଇଥିଲେ ଭକ୍ତ । ସ୍ୱତନ୍ତ୍ର ଖଲିପତ୍ରରେ ବ୍ୟଞ୍ଜନ ସବୁ ପରସା ଯାଇଥିବା ବେଳେ ଭକ୍ତମାନେ ଏତେ ପ୍ରକାରର ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟମନେ କରିଥିବା କହିଛନ୍ତି ।

 

କଥା ରହିଛି ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମାଆ ଯଶୋଦା । ନଖାଇ ନପିଇ ପୁଅର ଏମିତି ଅବସ୍ଥା ହୋଇଥିବା ଅନୁମାନ କରିଥିଲେ ମାଆ । ଖାସ ସେଇଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଭୁଞ୍ଜାଇ ଦେଇଥିଲେ ଯଶୋମତି । ସେହି ବାତ୍ସଲ୍ୟ ମମତାର ସ୍ମୃତି ହେଉଛି ଏହି ବ୍ୟଞ୍ଜନ ଦ୍ଵାଦଶୀ । ଯଦିଓ ଅନ୍ୟ ଏକ କଥା ରହିଛି ଯେ ଗୋଚରଣ ବେଳେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିଥିଲା ଯାହାକୁ ଦିବ୍ୟ ଚକ୍ଷୁ ରେ ଦେଖି ପାରିଥିଲେ ରାଧାରାଣୀ ଏବଂ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ କରିଥିଲେ ନାନାଦି ବ୍ୟଞ୍ଜନ । ତେଣୁ ଏଭଳି ଏକ ସ୍ମୃତିକୁ ଆଜି ବି ଅନେକ ଗୌଡିୟ ସମ୍ପ୍ରଦାୟ ମାନେ ଅନୁଗାମନ କରି ଆସିଛନ୍ତି । ପୁରୀ ଗୋରବିହାର ଆଶ୍ରମ ହେଉଛି ଏହାର ଏକ ବଳିଷ୍ଠ ଉଦାହରଣ । ଯେଉଁଠି ପ୍ରତ୍ୟେକ ବର୍ଷ ନିଶୁଳ୍କ ପ୍ରସାଦ ସେବନ ପାଇଁ ଅନେକ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥାନ୍ତି ।

 

ତେବେ ହିନ୍ଦୁ ଶାସ୍ତ୍ରରେ ଏହି ବ୍ୟଞ୍ଜନ ଦ୍ଵାଦଶୀର ସ୍ୱତନ୍ତ୍ର ମହିମା ରହିଥିବା ବେଳେ ଏହାକୁ ଅଖଣ୍ଡ ଦ୍ୱାଦଶୀ ମଧ୍ୟ କୁହାଯାଏ । ଏହିଦିନ ଆରମ୍ଭ ହେଉଥିବା କାର୍ଯ୍ୟ ନିଶ୍ଚିତ ଫଳପ୍ରଦ ହୁଏ ବୋଲି ବିଶ୍ବାସ ରହିଛି ।

Comments are closed.