Latest Odisha News

ଆଜି ଗଣେଷ ଚତୁର୍ଥୀ: ଧରାବତରଣ କରିବେ ବିଘ୍ନବିନାଶକ

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ । ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀକୁ ଗଣେଷ ଚତୁର୍ଥୀ ରୂପେ ପାଳନ କରାଯାଏ । ଏହି ଦିନରେ ବିଦ୍ୟାର ଦେବତା ତଥା ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା କରାଯାଏ । ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଗାଁ ଠାରୁ ସହର ସବୁଆଡ଼େ ଉତ୍ସବ ମୁଖର । ସମସ୍ତଙ୍କ ମନରେ ଉତ୍ସାହ । ସାରା ଦେଶରେ ବିଘ୍ନରାଜଙ୍କ ଆବାହନ କରାଯାଉଛି। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ସାହି ଗଳିରେ ପୂଜା ପାଇବେ ପ୍ରଭୁ ଗଣେଷ । ଏଥିସହ ଗଣେଶ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ଘଣ୍ଟ, ବାଜା ବାଜଣା, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗଣେଶ ପୂଜା ଧୁମଧାମରେ ପାଳନ ହେଉଛି । କେଉଁଠି ପ୍ରଭୁ ଗଣେଶଙ୍କ ବିଶାଳ ମୂର୍ତ୍ତି । ଆଉ କେଉଁଠି ବିରାଟ ପେଣ୍ଡାଲ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ପ୍ରଭୁ ଶ୍ରୀଗଣେଷ ବିଦ୍ୟାଦାତା ହୋଇଥିବାରୁ ଆଜି ପରି ଦିନରେ ଛୋଟ ଛୋଟ ପିଲାମାନଙ୍କୁ ଖଡିଛୁଆଁ ଯାଏ । ଏବଂ ସେମାନଙ୍କର ଉଜ୍ଵଳ ଭବିଷ୍ୟତ ସହ ବିଦ୍ୟା ବୃଦ୍ଧି ପାଇଁ ପ୍ରାର୍ଥନା କରିଥାଆନ୍ତି ପରିବାର ଲୋକେ ।

ଗଜର ଅର୍ଥ ହାତୀ। ଗଣେଶଙ୍କ ମସ୍ତକ ହେଉଛି ହାତୀ ମୁଣ୍ଡ। ତେଣୁ ଗଜାନନ କହିଲେ କେବଳ ଗଣେଶଙ୍କୁ ହିଁ ବୁଝାଯାଏ। ଶିବ ପୁରାଣ ଅନୁଯାୟୀ ମାତା ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଏହାକୁ ଦ୍ବାରରେ ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରିବା ସମୟରେ ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟାକଲେ ମଧ୍ୟ ବିଫଳ ହେଲେ।

ତେଣୁ କ୍ରୋଧ ଜର୍ଜରିତ ହୋଇ ଗଣେଶଙ୍କ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡ କରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ ।

 

Comments are closed.