ପୁରୀ: ଆଜି ଶ୍ରୀ ଜୀଉଙ୍କ ଭଉଁରୀ ଯାତ୍ରା। ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକ ଅଖ ଡେରା ନୀତି ଅନୁଷ୍ଠିହେବ। ଏଥିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଚାଲିଛି। ସକାଳଧୂପ ସରିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବେ। ଏହାପରେ ବିଧିପୂର୍ବକ ତିନି ରଥର ତିଆରି ହୋଇଥିବା ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ।
ଆଜି ପ୍ରଥମେ ଚକ ଅଖ ଡେରା ନୀତି ସରିବା ପରେ ରଥ ନିର୍ମାଣର ଅନ୍ୟାସବୁ କାର୍ଯ୍ୟ ଆରମ୍ଭ କରାଯିବ। ଅନ୍ୟପଟେ ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ ହୋଇଥିବାରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ମଦନମୋହନଙ୍କ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ। ବିଧିପୂର୍ବକ ଦେବାଦେବୀମାନେ ୨୧ ଘେରା ଜଳକ୍ରୀଡା କରିବେ।
ଏହାପରେ ଅପରାହ୍ନ ୪ଟା ବେଳେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ମହାପ୍ରଭୁ ମଣିବିମାନରେ ବସି ନରେନ୍ଦ୍ର ପୁଷ୍କରିଣୀ ଆସିବେ। ଏହି ଦୁର୍ଲଭ ଦୃଶ୍ୟ ଦେଖିବାକୁ ଅନେକ ଭକ୍ତକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ ରୂପେ କଡ଼ାକଡ଼ି କରାଯାଇଛି।
Comments are closed.