Latest Odisha News

BREAKING NEWS

ଆଜି ରୁକ୍ମିଣୀ ହରଣ ଏକାଦଶୀ; ୩ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଯାହାକୁ ରୁକ୍ମଣୀ ହରଣ ଏକାଦଶୀ ବୋଲି କୁହାଯାଏ । ତେବେ ଆଜି ମହାପ୍ରଭୁଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଦିନ ୨ଟାରୁ ୫ଟା ଯାଏଁ ୩ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ ।

ଆଜିର ଦିନରେ ମା’ ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଶିଶୁପାଳ ରୁକ୍ମଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ । ତେଣୁ ଏହି ପରମ୍ପରା ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀରୂପୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ ।

ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ଅନୁଷ୍ଠିତ ହେବ ।

ଅନ୍ୟପଟେ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ଆଜି ମୁଖ୍ୟ ପ୍ରଶାସକ, ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ନୀତିକାନ୍ତି ଓ ସେବାୟତଙ୍କ କାର୍ଯ୍ୟ ସମ୍ପାଦନ ଉପରେ ଆଲୋଚନା ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.