Latest Odisha News

ଆଜି ମହାବାହୁଙ୍କ ସନ୍ଧ୍ୟା ଦର୍ଶନ, ଆସନ୍ତାକାଲି ବାହୁଡିବେ ଶ୍ରୀଜିଉ

ପୁରୀ: ଶ୍ରୀଜୀଉଙ୍କ ନବଦିନବ୍ୟାପି ରଥଯାତ୍ରାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜନ୍ମଦେବୀରେ ଆଜି ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ। ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଚତୁର୍ଦ୍ଧବିଗ୍ରହଙ୍କୁ ଦର୍ଶନ କରିପାରିବେ। ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବାହୁଡ଼ା ଯାତ୍ରାର ପୂର୍ବଦିନ ଏହି ନୀତି ପାଳନ ହୁଏ। ଏ ପରମ୍ପରା ବହୁ ପୁରାତନ। ‘ସନ୍ଧ୍ୟା ଦର୍ଶନର ଆଧ୍ୟାତ୍ମିକ ମହତ୍ତ୍ୱ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ।

କୁହାଯାଏ ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଗୋଟିଏ ଥର ଦର୍ଶନରେ ସେତିକି ଫଳ ମିଳିଥାଏ । ଏପରିକି ଦିନ ଅପେକ୍ଷା ରାତି ତଥା ସନ୍ଧ୍ୟା ଦର୍ଶନ ଅଧିକ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ନବଦିନାତ୍ମକ ଯାତ୍ରାର ନବମୀ ଦିନର ଦର୍ଶନକୁ ‘ସନ୍ଧ୍ୟା ଦର୍ଶନ’ କୁହାଯାଏ । ଭକ୍ତଙ୍କୁ ଭଗବାନ ଆଡ଼ପମଣ୍ଡପରେ ଶେଷ ଦର୍ଶନର ସୁଯୋଗ ଦେଇଥାନ୍ତି । ଗୁଣ୍ଡିଚା ମନ୍ଦିରରେ ବାହୁଡ଼ା ପୂର୍ବଦିନର ସନ୍ଧ୍ୟା ଦର୍ଶନ ବହୁ ପ୍ରାଚୀନ ସମୟରୁ ପ୍ରଚଳିତ ରହିଆସିଛି । ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହୁଏ ।

ସେପଟେ ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅପରପକ୍ଷରେ ଦକ୍ଷିଣ ମୋଡ଼ ନେଇ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ତିନି ରଥ । ତିନି ରଥକୁ ଭଲ ଭାବେ ଯାଞ୍ଚ କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସନ୍ଧ୍ୟା ଦର୍ଶନ ପରେ ରାତିରେ ସେନାପଟା ଲାଗି, ବାହୁଟ କଣ୍ଟ, କୁସୁମୀ ଲାଗି ପରି ସ୍ୱତନ୍ତ୍ର ନୀତି ହେବ ।

 

Comments are closed.