Latest Odisha News

BREAKING NEWS

ଇଡି, ସିବିଆଇର ଗିରଫଦାରୀକୁ ବିରୋଧ, ବୁଧବାର ପ୍ରଧାନ ବିଚାରପତି କରିବେ ଶୁଣାଣି

ନୂଆଦିଲ୍ଲୀ: ଇଡି ଏବଂ ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ସେମାନଙ୍କ ନେତାଙ୍କୁ ‘ମନଇଚ୍ଛା’ ଗିରଫଦାରୀ ବିରୋଧରେ କଂଗ୍ରେସ ଏବଂ ଅନ୍ୟ ୧୩ ବିରୋଧୀ ଦଳଙ୍କ ଦ୍ୱାରା ମିଳିତ ଭାବେ ଦାୟର ହୋଇଥିବା ଏକ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବାର ଅଛି।

ମିିଳିଥିବା ସୂଚନା ଅନୁଯାୟୀ  ପ୍ରଧାନ ବିଚାରପତି ଜଷ୍ଟିସ ଡି. ଓ୍ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ  ୩ ଜଣିଆ ଖଣ୍ଡପୀଠ ଏପ୍ରିଲ ୫ରେ (ବୁଧବାର) ଏହି ମାମଲାର ଶୁଣାଣି କରିବେ। ଯେଉଁଥିରେ ବିରୋଧୀ ରାଜନେତାଙ୍କୁ ଜୋର ଜବରଦସ୍ତ ଗିରଫ କରାଯାଉଥିବା ନେଇ ଅଭିଯୋଗ ରହିଛି।

ମାର୍ଚ୍ଚ ୨୪ରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏହି ମାମଲାର ଜରୁରି ଶୁଣାଣି ପାଇଁ ଅନୁମତି ଦେଇଥିଲେ ଯେତେବେଳେ ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭି କୋର୍ଟରେ ଏପରି ଏକ ଆବେଦନ କୋର୍ଟରେ ରଖିଥିଲେ।

ଆବେଦନକାରୀମାନେ ଦାବି କରିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ସିବିଆଇ ଦ୍ୱାରା ତଦନ୍ତ କରାଯାଇଥିବା ୭୨ ଜଣ ରାଜନୈତିକ ନେତାଙ୍କ ମଧ୍ୟରୁ ୪୩ ଜଣ ତତ୍କାଳୀନ ବିରୋଧୀ ଦଳର ଥିଲେ। ଏବେ ସେହି ସଂଖ୍ୟା ୯୫ ପ୍ରତିଶତରୁ ଅଧିକକୁ ବୃଦ୍ଧି ପାଇଛି।

ଇଡିର ତଦନ୍ତରେ ମଧ୍ୟ ସମାନ ଢାଞ୍ଚା ପ୍ରତିଫଳିତ ହୋଇଛି, ବିରୋଧୀ ଦଳର ନେତାଙ୍କ ଅନୁପାତ ମୋଟ ରାଜନେତାଙ୍କ ମଧ୍ୟରୁ ୫୪% (୨୦୧୪ ପୂର୍ବରୁ) ରୁ ୯୫% (୨୦୧୪ ପରେ) କୁ ବୃଦ୍ଧି ପାଇଛି।

ରାଜନୈତିକ ଅସନ୍ତୋଷକୁ ଦମନ କରିବା ଏବଂ ଗଣତନ୍ତ୍ରର ମୌଳିକ ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରିବା ଉଦ୍ଦେଶ୍ୟରେ ସିବିଆଇ ଏବଂ ଇଡି ଭଳି ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବେ ସୁନିୟୋଜିତ ଢଙ୍ଗରେ ବ୍ୟବହାର କରାଯାଉଛି ବୋଲି ଆବେଦନରେ କୁହାଯାଇଛି।

୧୪ଟି ଦଳ ଦାବି କରିଛନ୍ତି ଯେ ସେମାନେ ମିଳିତ ଭାବରେ ୨୦୧୯ ସାଧାରଣ ନିର୍ବାଚନରେ ୪୨.୫ ପ୍ରତିଶତ ଭୋଟ୍ ପ୍ରଦାନ କରିଛନ୍ତି ଏବଂ ବର୍ତ୍ତମାନ ୧୧ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କ୍ଷମତାରେ ଅଛନ୍ତି।

ଆବେଦନକାରୀ ଦଳ ମଧ୍ୟରେ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଟିଏମସି, ଜେଡିୟୁ, ଜେଏମଏମ, ଶିବସେନା ଉଦ୍ଧବ ଗୋଷ୍ଠୀ, ସିପିଆଇ ଏମ୍, ସମାଜବାଦୀ ପାର୍ଟି, ନ୍ୟାଶନାଲ କନଫରେନସ ଭଳି ଦଳ ରହିଛନ୍ତି।

Comments are closed.