Latest Odisha News

BREAKING NEWS

ଗୋଟିଏ ଗାଁରେ ଗୋଟିଏ ପରିବାର

ଆସାମ: ଆଧୁନିକତାର ଛାପରେ ଧୀରେ ଧୀରେ ଲୋପ ପାଇବାକୁ ବସିଛି ଗାଁ ସଂସ୍କୃତି । ପୂର୍ବ ଭଳି ଆଉ ଗାଁରେ ଦେଖିବାକୁ ମିଳୁନାହିଁ ନିଚ୍ଛକ ଗାଁର ପ୍ରତିଛବି । ପରିମାଣସ୍ୱରୂପ ନିଜର ସତ୍ତା ହରାଇବାକୁ ବସିଛି ଗାଁର ଚଳଣି । ଲୋକେ ସହରମୁହାଁ ହେଉଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଗୋଟେ ଗାଁର ଶତାଧିକ ପରିବାର ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଇଥିବାରୁ ଏବେ କେବଳ ଗୋଟେ ପରିବାରକୁ ନେଇ ପଡ଼ି ରହିଛି ଗାଁର ପରିଚୟ ।

ଆସାମର ନାଲବାରି ଜିଲାରେ ରହିଛି ବର୍ଦ୍ଧନାରା ନମ୍ବର-୨ ଗାଁ । ଏହି ଗାଁରେ ଗୋଟିଏ ପରିବାର ବସବାସ କରୁଛନ୍ତି । ଏହି ପରିବାରରେ ମାତ୍ର ୫ ଜଣ ସଦସ୍ୟ ଅଛନ୍ତି । ପୂର୍ବରୁ ଏହି ଗାଁ ରେ ବହୁ ଲୋକ ବସବାସ କରୁଥିଲେ । ହେଲେ ଏହି ଗାଁକୁ ଖଣ୍ଡେ ରାସ୍ତାଟିଏ ନାହିଁ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଉ ବର୍ଷା ଦିନେ ଏହି କଷ୍ଟ ସେମାନଙ୍କର ଦ୍ୱିଗୁଣିତ ହୋଇଯାଉଥିଲା । ତେଣୁ ଅନେକ ଲୋକେ ଗାଁ ଛାଡ଼ି ଅନ୍ୟତ୍ର ଚାଲିଗଲେ । କିଛି ବର୍ଷ ତଳେ ଆସାମ ମୁଖ୍ୟମନ୍ତ୍ରୀ ଏହି ଗାଁ ପାଇଁ ଏକ ରାସ୍ତାର ଉଦ୍‌ଘାଟନ କରିଥିଲେ । ହେଲେ ଏବେ ଏହି ରାସ୍ତା ଭାଙ୍ଗିରୁଜି ଶୋଚନୀୟ ହୋଇପଡ଼ିଛିି । ଏହି ରାସ୍ତାଟି ଗାଁରୁ ମୁଖ୍ୟ ସହରକୁ ସଂଯୋଗ କରୁଥିଲା । ଗାଁ ରେ ରହୁଥିବା ପରିବାର ଏବେ ବି ବର୍ଷାଦିନେ ନୌକା ସାହାଯ୍ୟରେ ଯାତାୟାତ କରୁଛନ୍ତି ।

୨୦୧୧ ଜନଗଣନା ସମୟରେ ଏହି ଗାଁ ରେ ମାତ୍ର ୧୬ ଜଣ ଲୋକ ଥିଲେ । ଧୀରେ ଧୀରେ ତାହା କମି ଏବେ ମାତ୍ର ୫ ଜଣ ଅଛନ୍ତି । ପରିବାରର ମୁଖିଆ ବିମଲ ଡେକା ତାଙ୍କ ସ୍ତ୍ରୀ ଏବଂ ୩ ପିଲାଙ୍କ ସହିତ ଏହି ଗାଁରେ ରହୁଛନ୍ତି । ସେମାନଙ୍କ କହିବା ମୁତାବକ, ପିଲାଙ୍କୁ ବର୍ଷାରେ ୨ କିମି କାଦୁଅ ଭିତରେ ପଶି ସ୍କୁଲ ଯିବାକୁ ପଡେ । ନଗର ନିଗମ ଓ ଗାଁ ପଞ୍ଚାୟତ ଏହି ଅଞ୍ଚଳ ପ୍ରତି ଧ୍ୟାନ ଦେଉ ନ ଥିବାରୁ ଗାଁର ଏପରି ଅବସ୍ଥା ହୋଇଛି ।

Comments are closed.