ଭୁବନେଶ୍ଵର: ଆଜିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ୧୯ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ମେଳାକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ମେଳା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ଅପରାହ୍ଣ ୩ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଷ୍ଟଲ ଖୋଲା ରହିବ। ସେହିପରି ପ୍ରତ୍ୟେକ ଦିନ ସନ୍ଧ୍ୟା ୬ ରୁ ରାତି ୯ଟା ୩୦ ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଚଳିତ ବର୍ଷ ଏହି ମେଳାରେ ୬୫୦ଟି ହସ୍ତତନ୍ତ ଷ୍ଟଲ ସ୍ଥାନ ପାଇବ ।
ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୧୫୦ଟି ଷ୍ଟଲ, ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ ଟି ଷ୍ଟଲ, ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୨୫୦ ଷ୍ଟଲ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୧୧୦ ଟି ଷ୍ଟଲ ବ୍ୟବସ୍ଥା ହୋଇଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ଟି ଷ୍ଟଲ ରହିବ । ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ବୁଣାକାର ଓ କାରିଗର ଏଥିରେ ଅଂଶଗ୍ରହଣ କରିଛନ୍ତି ।
ପରିସରକୁ ପାରମ୍ପରିକ ରୂପ ଦିଆଯିବା ସହ ଥିମ୍ ପାଭିଲିଅନ୍କୁ ଭିନ୍ନ ତଥା ଆକର୍ଷଣୀୟ ରୂପ ଦିଆଯାଇଛି । ୨୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ ପାଭିଲିଅନ୍ “ଶିଳ୍ପ ସୃଜନୀ’, ଯାହା ଆକର୍ଷଣ କେନ୍ଦ୍ର ପାଲଟିବ । ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ “ଫ୍ୟାଶନ ଶୋ’ କରାଯିବ । ଏହି ଉଦ୍ଘାଟନୀ ଦିବସ ଅବସରରେ ରାଜ୍ୟର ବୁଣାକାର, ହସ୍ତଶିଳ୍ପୀମାନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଓ ବିଭିନ୍ନ ବର୍ଗରେ ରାଜ୍ୟ ପୁରସ୍କାର ପ୍ରଦାନ କରାଯିବ । କିନ୍ତୁ ଏନେଇ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ କୌଣସି ଆଗୁଆ ସୂଚନା ମିଳିନାହିଁ ।
Comments are closed.