Latest Odisha News

ବିଗିଡିବାରେ ଲାଗିଛି ଯମୁନା ଅବସ୍ଥା, କାହିଁକି ପ୍ରତିବର୍ଷ ଦେଖାଯାଏ ଏପରି ବିଷାକ୍ତ ଫେଣ

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ବିଷାକ୍ତ ହେବାରେ ଲାଗିଛି ଯମୁନା । ଯମୁନା ନଦୀରେ ଧଳା ଚାଦର। ଖଣ୍ଡ ଖଣ୍ଡ ହୋଇ ଭାସୁଛି ବିଶାକ୍ତ ଫେଣ। ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ସହିତ ଯମୁନା ନଦୀ ମଧ୍ୟ ଦୂଷିତ ହେବାରେ ଲାଗିଛି। ଏବେ ଯମୁନା ନଦୀର ପାଣିରେ ବିଷାକ୍ତ ଫେଣ ଦେଖିବାକୁ ମିଳିଛି। ପ୍ରତି ବର୍ଷ ଭଳି ଏଥର ମଧ୍ୟ ସ୍ଥାନେ ସ୍ଥାନେ ଫେଣର ମୋଟା ପରସ୍ତ ଦେଖାଯାଉଛି। ଛଠ୍‌ ପୂର୍ବରୁ ହିଁ ଯମୁନାରେ ପ୍ରଦୂଷଣ ସ୍ତର ଅତି ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଏପରିକି ପୂର୍ବ ବର୍ଷ ଅପେକ୍ଷା ଚଳିତଥର ଅଧିକ ମାତ୍ରାରେ ବିଷାକ୍ତ ଫେଣ ଭାସିବାରେ ଲାଗିଛି । ତେବେ ଯମୁନା ନଦୀରେ ହିଁ ପ୍ରତିବର୍ଷ ଏହି ବିଶାକ୍ତ ଫେଣ କାହିଁକି ଦେଖିବାକୁ ମିଳେ, ଅନ୍ୟ ନଦୀରେ କାହିଁକି ନୁହେଁ? ଏହା ପଛର କାରଣ କଣ? ଆସନ୍ତୁ ଜାଣିବା ସେ ବିଷୟରେ…

ପ୍ରତିବର୍ଷ ଛଟ୍ ପୂଜା ପୂର୍ବରୁ ଦିଲ୍ଲୀର ଯମୁନା ନଦୀର ଅବସ୍ଥା ଏପରି ହୋଇଥାଏ । ଚାରିଆଡେ ଭାସୁଥାଏ ଧଳା ଧଳା ଅମ୍ଳ ଯୁକ୍ତ ଫେଳ । ଏହା ଦେଖିବାକୁ ଯେତିକି ସୁନ୍ଦର ଲାଗେ ସେତିକି ଅଧିକ ବିପଜ୍ଜନକ ଏବଂ ବିଷାକ୍ତ ମଧ୍ୟ ଅଟେ । ଏହି ପାଣିରେ ଗାଧୋଇବା ଦ୍ୱାରା ଅନେକ ଗମ୍ଭୀର ରୋଗ ହୋଇପାରେ । ତଥାପି ଅନେକ ଲୋକ ଛଟ୍ ପୂଜା ଅବସରରେ ଏହି ନଦୀରେ ସ୍ନାନ କରିଥାନ୍ତି । ଦିଲ୍ଲୀ କିମ୍ବା ଏହାର ଆଖପାଖ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଯମୁନା ନଦୀ ପାଖରେ ଅନେକ ଗୁଡିଏ କାରଖାନା ରହିଛି । ସେହି କାରଖାନାରୁ ନିର୍ଗତ ରାସାୟନିକ ବର୍ଜ୍ୟବସ୍ତୁ ଗୁଡିକ ଫିଲ୍ଟର ନକରି ଯମୁନା ନଦୀକୁ ଛଡା ଯାଏ । ଏହା ବ୍ୟତୀତ ସହରର ଅପରିଷ୍କାର ଜଳ ମଧ୍ୟ ଅନେକ ସ୍ଥାନରୁ ଯମୁନା ନଦୀରେ ମିଶ୍ରିତ ହୁଏ । ଏହି କାରଣରୁ ଯମୁନାର ଜଳ କଳା ହୋଇଯାଏ ଏବଂ ରାସାୟନିକ ପ୍ରତିକ୍ରିୟା ହେତୁ ଏଥିରେ ଫେଣ ସୃଷ୍ଟି ହେବାକୁ ଲାଗେ ।

ଏବେ ପ୍ରଶ୍ନ ଉଠୁଛି ଯେ ଏହି ବର୍ଜ୍ୟବସ୍ତୁଗୁଡ଼ିକରେ ଏପରି କଣ ଥାଏ ଯାହା ଯମୁନା ପାଣିରେ ଫେଣ ସୃଷ୍ଟି କରେ । ବିଶେଷଜ୍ଞଙ୍କ ଅନୁଯାୟୀ, କାରଖାନାରୁ ନିର୍ଗତ ଏହି ବର୍ଜ୍ୟବସ୍ତୁରେ ଫସଫେଟ୍ ମାତ୍ରା ଅଧିକ ହେତୁ ଏପରି ଘଟେ । ବାସ୍ତବରେ, କାରଖାନାରୁ ବାହାରୁଥିବା ରାସାୟନିକ ବର୍ଜ୍ୟବସ୍ତୁ ଏବଂ ଯମୁନାରେ ପଡୁଥିବା ସହରର ଅପରିଷ୍କାର ଜଳରେ ବହୁ ପରିମାଣର ଫସଫେଟ୍ ଥାଏ । ଏହି କାରଣରୁ, ଯମୁନା ପାଣିରେ ଧଳା ଅମ୍ଳ ଯୁକ୍ତ ବିଶାକ୍ତ ଫେଣ ସୃଷ୍ଟି ହୁଏ ।

ଏପରି ନୁହେଁ ଯେ ଏହି ଧଳା ଫେଣ କେବଳ ଯମୁନା ନଦୀରେ ସୃଷ୍ଟି ହୁଏ । ଏଗୁଡିକ ଅନ୍ୟ ନଦୀରେ ମଧ୍ୟ ସୃଷ୍ଟି ହୁଏ କିନ୍ତୁ ଏହାର ପରିମାଣ ବହୁତ କମ୍ ଥାଏ । ଯମୁନାରେ କାରଖାନା ଏବଂ ଦିଲ୍ଲୀ-ନୋଏଡାର ସ୍ଵେରେଜ ପାଣି ହେତୁ ଅନେକ ରାସାୟନିକ ପଦାର୍ଥ ଏକାସାଙ୍ଗରେ ମିଶିଥାଏ । ଏହି କାରଣରୁ, ଅନ୍ୟ ନଦୀ ଅପେକ୍ଷା ଏଥିରେ ଧଳା ଫେଣ ଅଧିକ ସୃଷ୍ଟି ହୁଏ । ଏହା ବ୍ୟତୀତ ଯମୁନା ନଦୀରେ ପ୍ରବାହ ମଧ୍ୟ ଧିର । ଯେଉଁ କାରଣରୁ ନଦୀ ଘାଟ ଚାରିପାଖରେ ଏହି ଧଳା ଫେଣ ବେଶି ଦେଖାଯାଏ ।

Comments are closed.