ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଟାଟା ପାଓ୍ୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ)ର ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ବିଦ୍ୟୁତ୍ ବିତରଣ କମ୍ପାନୀ ଉକ୍ତ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ଅଭିଯୋଗର ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଆମେ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରିଛୁ ଏବଂ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛୁ। ତଦନ୍ତ ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟିପିସିଓଡିଏଲର ମୁଖପାତ୍ର ମଙ୍ଗଳବାର ଏଭଳି କହିଛନ୍ତି। ଆମେ ସମସ୍ତ ତଦନ୍ତକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରୁଛୁ ବୋଲି କହିଛନ୍ତି।
ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଟିପିସିଓଡିଏଲର ଜିଆରଏଫ୍ କାର୍ଯ୍ୟାଳୟରେ ଓଏଜି-3 ପଦବୀରେ କାର୍ଯ୍ଯରତ ତରୁଣ ରଞ୍ଜନ ନାୟକ।
ନୂଆ ବିଦ୍ୟୁତ ସଂଯୋଗ ପାଇଁ ଅଭିଯୋଗ ଆବେଦନ ପ୍ରକ୍ରିୟା କରିବା ବଦଳରେ ଜଣେ ଅଭିଯୋଗକାରୀଙ୍କଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଅଭିଯୋଗକାରୀ ଶ୍ରୀ ନାୟକଙ୍କ ସହଯୋଗୀ ଶୈଳଜା ମୁଦୁଲିଙ୍କ PhonePe ନମ୍ବର ଜରିଆରେ ଟଙ୍କା ପୈଠ କରିଥିଲେ।
ଅଭିଯୋଗକାରୀଙ୍କ କହିବାନୁସାରେ, ବିଦ୍ୟୁତ୍ ସଂଯୋଗ ପାଇଁ ତରୁଣ ନାୟକଙ୍କ ସହ ଯୋଗାଯୋଗ କରିବାରୁ ଅଧିକାରୀ ଜଣଙ୍କ PhonePe ମାଧ୍ୟମରେ ଲାଞ୍ଚ ପ୍ରଦାନ କରିବାକୁ ଜିଦ୍ ଧରିଥିଲେ। ଏବଂ ଏହାପରେ ବିଦ୍ୟୁତ ସଂଯୋଗ ମିଳିପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ଭିଜିଲାନ୍ସକୁ ଖବର ଦେଇଥିଲେ ଏବଂ ତାଙ୍କ ସହଯୋଗୀ ଶୈଳଜା ମୁଦୁଲିଙ୍କୁ PhonePe ନମ୍ବରରେ ଲାଞ୍ଚ ଦେଇଥିଲେ। ଏହାପରେ ଅଭିଯୋଗ ପତ୍ର ଆଧାରରେ ଭିଜିଲାନ୍ସ ଟିମ୍ ତରୁଣ ରଞ୍ଜନ ନାୟକଙ୍କୁ ଗିରଫ କରିଛି।
Comments are closed.