Latest Odisha News

BREAKING NEWS

ଚୀନର ଧମକ! ଯଦି ଚାହୁଁଛ ଯୁଦ୍ଧ ହେବ

ନୂଆଦିଲ୍ଲୀ: ଆରମ୍ଭ କଲା ଆମେରିକା। ଏବେ ବିଶ୍ବରେ ହେବାକୁ ଯାଉଛି ଟ୍ରେଡ ଓ୍ବାର। ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି ମେକ୍ସିକୋ, କାନାଡା ସହ ଚୀନ୍ ଓ ଭାରତ ଉପରେ ପାରସ୍ପରିକ ଆମଦାନୀ ଶୁଳ୍କ ଲଗାଇବା ନେଇ କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ କଡା ଜବାବ ରଖିଛି ଚୀନ। ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି, ଯଦି ଆମେରିକା ଯୁଦ୍ଧ ଚାହୁଁଛି ତେବେ ଯୁଦ୍ଧ ହିଁ ହେଉ। ଟ୍ରେଡ ଓ୍ବାର ହେଉ କି ଅନ୍ୟ ପ୍ରକାର ଯୁଦ୍ଧ, ଲଢିବାକୁ ପ୍ରସ୍ତୁତ ରହିଛି ଚୀନ୍।

କ’ଣ କହିଲେ ଟ୍ରମ୍ପ ?
ଆମେରିକା ସଂସଦକୁ ସମ୍ବୋଧନ କରି ଟ୍ରମ୍ପ କହିଥିଲେ, ଯେଉଁ ଦେଶ ଆମେରିକା ଉପରେ ଯେତେ ଟାରିଫ ଲଗାଇବ, ସମାନ ଟାରିଫ ସେଇ ଦେଶ ଉପରେ ଲଗାଯିବ। ବର୍ଷ ବର୍ଷ ଧରି ଅନ୍ୟ ଦେଶ ବଡ ପରିମାଣର ଟାରିଫ ଲଗାଉଛନ୍ତି। ୟୁରୋପୀୟ ସଂଘ, ଚୀନ, ବ୍ରାଜିଲ, ଭାରତ ପରି ଦେଶ ଆମେରିକା ଉପରେ ଅଧିକ ଟାରିଫ ଲଗାଉଛନ୍ତି, ଏହା ଭୁଲ। ଆମେରିକାର ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ପଡିବ। ଆସନ୍ତା ମାସ 2ତାରିଖରୁ ପାରସ୍ପରିକ ଟାରିଫ ଲଗାଯିବ ବୋଲି ଟ୍ରମ୍ପ କହିଛନ୍ତି।

ଆରମ୍ଭ ହେଲା ଟ୍ରେଡ ଯୁଦ୍ଧ
ଡୋନାଲଡ ଟ୍ରମ୍ପଙ୍କ ଟାରିଫ ଯୁଦ୍ଧକୁ ନେଇ କଡା ଜବାବ ରଖିଛି ଚୀନ। ଯଦି ଆମେରିକା ଯୁଦ୍ଧ ଚାହୁଁଛି ତେବେ ଚୀନ୍ ସେଥିପାଇଁ ପ୍ରସ୍ତୁତ ଥିବା ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ବ୍ୟାପର ଯୁଦ୍ଧ ହେଉ କି ଅନ୍ୟ ଯୁଦ୍ଧ, ଶେଷ ପର୍ଯ୍ୟନ୍ତ ଲଢିବାକୁ ଚୀନ୍ ପ୍ରସ୍ତୁତ ଥିବା ସେ କହିଛନ୍ତି। ଚୀନକୁ ଡରାଇବା ବା ଧମକାଇବା କାମ ଦେବନି। ଆମେରିକାରେ ଦେଖା ଦେଇଥିବା ଫେଣ୍ଟେନାଇଲ ବା ଅତିରିକ୍ତ ଡ୍ରଗ୍ସ ସେବନ ଦ୍ବାରା ମୃତ୍ୟୁ ସମସ୍ୟା ପାଇଁ ନିଜେ ଆମେରିକା ହିଁ ଦାୟୀ। ଚୀନ ଏହାର ସମାଧାନ ଦିଗରେ ସହଯୋଗ କରୁଛି। ହେଲେ ଆମେରିକା ଚୀନକୁ ହିଁ ବଦନାମ କରୁଛି। ଅନ୍ୟ କୌଣସି ଦେଶକୁ ଦଣ୍ଡ ଦେବା ଦ୍ବାରା ସମସ୍ୟାର ସମାଧାନ ବାହାରିବନି ବୋଲି ଚୀନ୍ କହିଛି।

ଟ୍ରମ୍ପଙ୍କ ଟାରିଫ ଚୀନର ଜବାବ
ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ଚୀନ୍ ଉପରେ ଟାରିଫ ବଢାଇଥିଲେ ଟ୍ରମ୍ପ। ଟ୍ରମ୍ପ ପ୍ରଶାସନ ଚୀନ ସାମଗ୍ରୀ ଉପରେ 10ପ୍ରତିଶତରୁ 20ପ୍ରତିଶତକୁ ଟାରିଫ ବଢାଇଥିଲେ। ଏହାପରେ ଚୀନ ମଧ୍ୟ କଡା ଆଭିମୁଖ୍ୟ ଦେଖାଇଛି। ଆମେରିକାରୁ ଚୀନକୁ ରପ୍ତାନୀ ହେଉଥିବା ବିଭିନ୍ନ ସାମଗ୍ରୀ ଉପରେ ଅତିରିକ୍ତ ଟାରିଫ ଲଗାଇବାକୁ କହିଛି। ସୋୟାବିନ, ମକାଠାରୁ ଆରମ୍ଭ କରି ଦୁଗ୍ଧଜାତୀୟ ସାମଗ୍ରୀ ଉପରେ 10ରୁ 15ପ୍ରତିଶତ ଟାରିଫ ଲଗାଇଥିବା ଚୀନ୍ ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାସହ 25ଟି ଆମେରିକୀୟ ଫାର୍ମ ଉପରେ ରପ୍ତାନୀ ଓ ନିବେଶ କଟକଣା ଲଗାଇଛି ଚୀନ।

ଆରପାର ମୁଡରେ କାନାଡା
କେବଳ ଚୀନ୍ ନୁହେଁ, ଟ୍ରମ୍ପଙ୍କ ନୀତିକୁ ଖୋଲାଖୋଲି ବିରୋଧ କରିଛି କାନାଡା। କେବଳ ଶକ୍ତି କ୍ଷେତ୍ରରେ ଆମଦାନୀକୁ ଛାଡି କାନାଡାରୁ ଆମଦାନୀ ହେଉଥିବା ସବୁ ସାମଗ୍ରୀ ଉପରେ 25ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରିଥିଲେ ଟ୍ରମ୍ପ। ଆମେରିକୀୟ ସାମଗ୍ରୀ ଉପରେ କାନାଡା ମଧ୍ୟ 25ପ୍ରତିଶତ ଅତିରିକ୍ତ ଚାର୍ଜ ଲଗାଇଛି। ଟ୍ରମ୍ପ କାନାଡାର ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରି ଏହାକୁ ଆମେରିକାରେ ମିଶାଇବାକୁ ଚାହୁଁଥିବା କାନାଡା ଅଭିଯୋଗ କରିଛି। ଏପରିକି ଆମେରିକାରେ ବିଜୁଳି ବନ୍ଦ କରିବାକୁ ଧମକ ଦେଇଛି। ଦେଶର ଓଣ୍ଟାରିଓ ଅଞ୍ଚଳରୁ ଆମେରିକାର 3ଟି ରାଜ୍ୟକୁ ବିଜୁଳି ଯୋଗାଣ ହୁଏ। ଏହାସହ ନିକେଲ ଯୋଗାଣ ବନ୍ଦ କରିବାକୁ ଧମକ ଦେଇଛି କାନାଡା।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.