ନୂଆଦିଲ୍ଲୀ: ଲୋକଙ୍କୁ ଠକିବା ପାଇଁ ସାଇବର ଠକମାନେ ପ୍ରତିଦିନ ନୂଆ ନୂଆ ପଦ୍ଧତି ଅବଲମ୍ବନ କରୁଛନ୍ତି। କେତେବେଳେ ନିଜକୁ ସରକାରୀ କର୍ମଚାରୀ କହି ଠକୁଛନ୍ତି ତ କେତେବେଳେ ଘରେ ରହି କାମ କରି ରୋଜଗାର କରିବାକୁ କହି ଠକୁଛନ୍ତି । ବେଳେ ବେଳେ ଲୋକଙ୍କୁ ବିଭିନ୍ନ ଲୋଭନୀୟ ଅଫର ଦେଇ ଠକୁଛନ୍ତି ଏହି ଠକ ମାନେ । ବର୍ତ୍ତମାନ ଟେଲିକମ୍ ରେଗୁଲେଟର ଟ୍ରାଇ ଏପରି ଏକ ଠକେଇକୁ ନେଇ ଲୋକଙ୍କୁ ସଚେତନ କରିଛି । ମାଗଣା ରିଚାର୍ଜ ପାଇଁ ଆସୁଥିବା ମେସେଜ ପ୍ରତି ସାବଧାନ ରହିବାକୁ ଲୋକଙ୍କୁ ସୂଚନା ଦେଇଛି ଟ୍ରାଇ । ଏହି ଠକେଇରେ ସାଇବର ଠକେଇମାନେ ନିଜକୁ ଟ୍ରାଇ ଅଧିକାରୀ ବୋଲି ପରିଚୟ ଦେଉଛନ୍ତି । ଆସନ୍ତୁ ଜାଣିବା ଏହି ସ୍କାମ ବିଷୟରେ ।
ଏହି ପଦ୍ଧତିରେ ସାଇବର ଠକମାନେ ନିଜକୁ ଟ୍ରାଇ ଅଧିକାରୀ ଭାବେ ପରିଚୟ ଦେବା ସହ ମାଗଣା ରିଚାର୍ଜ ପାଇଁ ମେସେଜ କରୁଛନ୍ତି । ସେହି ମେସେଜରେ ଥିବା ଲିଙ୍କ ଉପରେ କ୍ଲିକ କଲେ ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି । ଟ୍ରାଇ ଲୋକଙ୍କୁ ଏନେଇ ସତର୍କତା ଜାରି କରିବା ସହ ଟ୍ରାଇ ତରଫରୁ ଏପରି କୌଣସି ଅପର ଦିଆଯାଉନାହିଁ ବୋଲି ସୂଚନା ଦେଇଛି । ଉପଭୋକ୍ତାମାନେ ଯେକୌଣସି ଅଫର କିମ୍ବା ଶୁଳ୍କ ଯୋଜନା ବିଷୟରେ ସୂଚନା ପାଇବା ପାଇଁ ଟେଲିକମ୍ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିପାରିବେ ।
ଟ୍ରାଇ କହିଛି ଯେ, ଏହି ମେସେଜ ଉପଭୋକ୍ତାଙ୍କ ଡିଭାଇସକୁ ହ୍ୟାକ କରିବା ପାଇଁ ପଠାଯାଉଛି । ଆପଣଙ୍କ ଡିଭାଇସକୁ ହ୍ୟାକ କରିବା ସହ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ଚୋରି କରିବେ ଏହି ଠକମାନେ । ତେଣୁ ଆପନଙ୍କ ପାଖକୁ ଯଦି ଏପରି କୌଣସି ମେସେଜ ଆସେ ତେବେ ତାହାକୁ ଅଣଦେଖା କରନ୍ତୁ । ନଚେତ ଆପଣ ଅନେକ ସମସ୍ୟାର ସମ୍ମୁଖିନ ହେବା ସହ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବ ।
Comments are closed.