Latest Odisha News

BREAKING NEWS

ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର ଏସସିବିରେ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୮୯କୁ ବୃଦ୍ଧି

କଟକ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ  ସଂଖ୍ୟା  ୨୮୯କୁ ବୃଦ୍ଧି ପାଇଛି ।   କଟକ ଏସସିବିରେ ଚିକିତ୍ସିତ ହେଉଥିବା ଦୁର୍ଘଟଣାଗ୍ରସ୍ତ ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିବା ପରେ ଏହାର ସଂଖ୍ୟା ୨୮୮ରୁ ୨୮୯ରେ ପହଞ୍ଚିଛି। ମୃତକ ହେଉଛନ୍ତି ବିହାରର ବିଜୟ ପାଶୱାନ ।  ତାଙ୍କୁ କଟକ ଏସିସିବିରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା ।  ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

ବିଜୟ ଓ ତାଙ୍କ ପରିବାରର ୪ ଜଣ ସଦସ୍ୟ କରମଣ୍ଡଳରେ ଆସୁଥିଲେ । ଜୁନ ୨ ତାରିଖରେ ବହାନଗାଠାରେ କରମଣ୍ଡଳ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଘଟିଥିଲା । ଏଥିରେ ୨୧୧ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ବିଜୟଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆ ଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଥିଲେ ।

ଡାକ୍ତରଙ୍କ କହିବା ଅନୁଯାୟୀ ହଠାତ ତାଙ୍କର ବ୍ଲଡ ପ୍ରସେର କମି ଯାଇଥିଲା ଓ ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ ଶରୀରର ବେକଠାରୁ ନିମ୍ନଭାଗ କାମ କରିବା ବନ୍ଦ କରି ଦେଇଥିଲା । ତେବେ ସେ କଥା କହି ପାରୁଥିଲେ ବୋଲି ତାଙ୍କ ଭାଇ ମିଡିଆକୁ କହିଛନ୍ତି ।

ବିଜୟଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଥିବାବେଳେ ଏସସିବିରେ ଚିକିତ୍ସିତ ହେଉଥିବା ଆହତଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ମୃତ୍ୟୁ । ଏବେ ବି ୮୧ ଜଣ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୧ ଜଣ ଆଇସିୟୁରେ ଅଛନ୍ତି ।

ଅନ୍ୟପକ୍ଷେ  ଆଜି ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୧୨ ଦିନ ପୁରିଛି । ଏହାଭିତରେ ସିବିଆଇ ଏହି ଘଟଣାର ଯାଞ୍ଚ ଜାରି ରଖିଛି । ଘଟଣାସ୍ଥଳରେ ଯାଞ୍ଚ କରିବା ସହ ରେଲୱେ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରୁଛି । କିନ୍ତୁ ଏହି ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି କାରଣରୁ ହୋଇଛି ତାହା ଉପରୁ ଏଯାଏଁ ପରଦା ହଟିନି ।

 

 

 

Leave A Reply

Your email address will not be published.