ଟ୍ରାଇବାଲ ୟୁଥ୍ ମାଇକ୍ରୋ ଏଣ୍ଟରପ୍ରେନରସିପ୍ : କ୍ଷୁଦ୍ର ବ୍ୟବସାୟିକ ଚିନ୍ତାଧାରାକୁ ପ୍ରଷ୍ଫୁଟିତ କରିବାର ଏକ ସଫଳ ପ୍ରୟାସ
ଭୁବନେଶ୍ବର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନରେ ଟ୍ରାଇବାଲ ୟୁଥ୍ ମାଇକ୍ରୋ ଏଣ୍ଟରପ୍ରେନରସିପ୍ ବା ଟିୱାଇଏମଇ
ଆଦିବାସୀ ଯୁବକ ମାନଙ୍କୁ କ୍ଷୁଦ୍ର ଉଦ୍ୟୋଗ, ପାରମ୍ପରିକ ଜୀବିକା ଯାପନ ଏବଂ ସେମାନଙ୍କୁ ରୋଜଗାରକ୍ଷମ କରାଇ ସମାଜରେ ପ୍ରତିଷ୍ଠିତ କରିବା ଏବଂ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବାକୁ ସାରା ରାଜ୍ୟରେ ଉଦ୍ୟମ ଆରମ୍ଭ କରିଛି।
ଉଦାହରଣ ସ୍ୱରୂପ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡାଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଲଣ୍ଡା ଗ୍ରାମର ସୁବାସ ପିଡିସିକା କେରଳର ଏକ ଦୋକାନରେ ସେଲ୍ସ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ । ଗତ ଦେଢ ବର୍ଷ ହେବ ଓଡିଶା ଫେରିବା ପରେ ସେ ନିଜେ ବ୍ୟବସାୟ କରିବାକୁ ଚିନ୍ତା କରିଥିଲେ । ଏହି ଉଦ୍ୟୋଗୀ ଆଦିବାସୀ ଯୁବକଙ୍କୁ ରାୟଗଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଟିୱାଇଏମଇ ଅଧୀନରେ ମିଳିଥିଲା ସହାୟତା, ଯାହା ସୁବାସଙ୍କ ଜୀବନର ଗତିପଥ ସମ୍ପୂର୍ଣ୍ଣ ରୂପେ ଯୁଗ ବଦଳାଇ ଦେଇଥିଲା ।
ମୋବାଇଲ୍ ଫୋନ୍ ମରାମତି ଦୋକାନ କରିବା ପରେ ନିଜ ଗାଁରେ ସେ ଏବେ ଭଲ ରୋଜଗାର କରୁଛନ୍ତି। ତାଙ୍କ ଦୋକାନରୁ ନିଜ ସମ୍ପ୍ରଦାୟ ପାଇଁ କମ୍ପ୍ୟୁଟର ସମ୍ବନ୍ଧୀୟ ସେବା ଯୋଗାଇ ଦେବାକୁ ଆଶା ରଖିଛନ୍ତି ସୁବାସ। ବର୍ତ୍ତମାନ ସୁବାସ କଲ୍ୟାଣସିଂହପୁର ବ୍ଲକର ମାଝିଗୁଡା, କରପା, ବୁଡାଗୁଡା, ସିକରପାଇ, ଧାମୁନିପଙ୍ଗା ଓ ନାରାୟଣପୁର ଭଳି ଗ୍ରାମ ପଞ୍ଚାୟତର ଲୋକଙ୍କ ପାଇଁ ଏହି ବ୍ୟବସାୟ ଯୋଗାଉଛନ୍ତି ।
ବ୍ୟବସାୟିକ ଦକ୍ଷତା, ଉତ୍ତମ ଭାବରେ ଆଚରଣ ଏବଂ ଲୋକଙ୍କୁ ସାହାଯ୍ୟ କରିବାର ଅଭ୍ୟାସ ଯୋଗୁଁ ସେ ମାସକୁ ପ୍ରାୟ ୧୫,୦୦୦ ଟଙ୍କା ରୋଜଗାର କରୁଛନ୍ତି ଏବଂ ବର୍ଷକ ମଧ୍ୟରେ ଏହାକୁ ତିନିରୁ ଚାରି ଗୁଣ ବୃଦ୍ଧି କରିବାକୁ ଆଶା ରଖିଛନ୍ତି ସୁବାସ ।
ପର୍ଯ୍ୟଟନର ବିକାଶ:
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଡିଗ୍ରୀ କଲେଜରୁ ଉତ୍ତିନ୍ନ ହେବା ପରେ ଇଲେକ୍ଟ୍ରିକାଲ୍ ରେ ଆଇଟିଆଇ ଶେଷ କରିଥିଲେ ପୋବିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଇଟିଙ୍ଗିଆ ଗାଁର କବିରାଜ କହଁର । ପରିବାରର ୫ ଜଣ ସଦସ୍ୟଙ୍କ ପେଟ ପୋଷିବା ପାଇଁ କବିରାଜ ପାର୍ଟ ଟାଇମ୍ ଟ୍ୟାକ୍ସି ଡ୍ରାଇଭର ଭାବେ କାମ କରୁଥିଲେ । ମାସକ ମଧ୍ୟରେ ସୀମିତ ଭଡା ହେଉଥିବାରୁ ତାଙ୍କ ରୋଜଗାର ମଧ୍ୟ ସୀମିତ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନରେ ଥିବା ରୂପସିଂହାର ଜନଜାତି ଜୀବିକା ପରିଷଦ ପକ୍ଷରୁ ଫୁଲବାଣୀ ଆଇଟିଡିଏକୁ ଟିୱାଇଏମଇ ପାଇଁ ଉପଯୁକ୍ତ ପ୍ରାର୍ଥୀ ଭାବେ ସୁପାରିସ କରାଯାଇଥିଲା, ଯାହା କବିରାଜଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଫୁଲବାଣୀ ଆଇଟିଡିଏ ଦ୍ୱାରା ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ତାଙ୍କର ବ୍ୟକ୍ତିଗତ ୮୦,୦୦୦ ଟଙ୍କାରୁ କବିରାଜ ଏକ ନୂତନ କାର୍ କିଣି ଜଣେ କ୍ଷୁଦ୍ର ଉଦ୍ୟୋଗୀ ହୋଇପାରିଛନ୍ତି । ନିଜ ସ୍ୱପ୍ନ କୁ ସାକାର କରିବାରେ ଧୈର୍ଯ୍ୟ ଓ ଶକ୍ତିର ଉଦାହରଣ ହେଉଛି କବିରାଜଙ୍କ କାହାଣୀ । ତାଙ୍କର ଏହି ସଫଳତା ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ଅନ୍ୟମାନଙ୍କୁ ସେମାନଙ୍କର କ୍ଷୁଦ୍ର ଉଦ୍ୟୋଗୀ ସ୍ୱପ୍ନପୂରଣ ପାଇଁ ପ୍ରେରଣା ଦେଉଛି । କେବଳ ଯେ ଏହା ନୁହଁ, ଆଦିବାସୀ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସ୍ଥାନୀୟ ସମୁଦାୟରେ ନୂତନ ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାଉପରେ ମଧ୍ୟ ଆଲୋକପାତ କରିଛି ।
ଟୁର ଆଣ୍ଡ ଟ୍ରାଭେଲ୍ସ ବ୍ୟବସାୟ ଆରମ୍ଭର ପ୍ରଥମ ୨୦ ଦିନ ମଧ୍ୟରେ କବିରାଜ ୧୦ଟି ଟ୍ରିପ୍ ରୁ ୩୫,୦୦୦ ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି । ଏହି ଟଙ୍କାରୁ ସେ ତାଙ୍କ ମାସିକ କିସ୍ତି ପାଇଁ ୧୩,୫୦୦ ଟଙ୍କା ରଖିବାକୁ ଚାହୁଁଛନ୍ତି । ବଳକା ଟଙ୍କାରେ କାର୍ ମ୍ୟାଟ୍ ଏବଂ ଅନ୍ୟାନ୍ୟ ସିଲିଂ କାମ ପାଇଁ ୧୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି । ଏହା ପରେ ବି ସେ ୧୧,୫୦୦ ଟଙ୍କା ଲାଭ କରିଛନ୍ତି ।
ଇଭେଣ୍ଟ ମ୍ୟାନେଜମେଣ୍ଟ:
କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ରତ୍ନାକର ହଲବା ରନ୍ଦାପାଲି ଜନଜାତି ଜୀବିକା ପରିଷଦର ଜଣେ ସକ୍ରିୟ ସଦସ୍ୟ । ସେ ଜଣେ ମେଳାପି ବ୍ୟକ୍ତି ଭାବେ ବେଶ ଜଣାଶୁଣା । ଗୋଟାଏ ପରେ ଗୋଟାଏ କାମ ପାଇବା ପରେ ରତ୍ନାକରଣଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ ବ୍ୟବସାୟ ବିକଶିତ ହେବାକୁ ଲାଗିଥିଲା । ଆଇଟିଡିଏ ଜୟପୁର ପକ୍ଷରୁ ଆୟୋଜିତ ଜନଜାତି ଜୀବିକା ପରିବଷଦ ବୈଠକରେ ରତ୍ନାକରଙ୍କୁ ଟିୱାଇଏମଇ ସହ ପରିଚିତ କରାଯାଇଥିଲା। ଏହା ପରେ ସେ ସହାୟତା ପାଇଁ ଆବେଦନ କରିଥିଲେ ଏବଂ ଏହା ପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି ।
ପ୍ରଥମ ତିନୋଟି ଇଭେଣ୍ଟରୁ ସେ ୧୫,୦୦୦ ଟଙ୍କା ରୋଜଗାର କରିପାରିଥିଲେ । ଆଗାମୀ ସମୟରେ ବର୍ଷକୁ ପ୍ରାୟ ୧.୮୫ ଲକ୍ଷ ଟଙ୍କା ସେ ଲୋଜଗାର କରିବେ ବୋଲି ଆଶା ରଖିଛନ୍ତି ରତ୍ନାକର । ରୋଜଗାର ପରେ ତାଙ୍କ ଅଞ୍ଚଳର ପରିବାର ଏବେ ଅତିରିକ୍ତ ଆର୍ଥିକ ବୋଝର ସମ୍ମୁଖୀନ ନ ହୋଇ ସମସ୍ତ ଉତ୍ସବକୁ ସ୍ବଚନ୍ତ୍ର ଭାବେ ପାଳନ କରିପାରିବେ ବୋଲି ରତ୍ନାକର କହିଛନ୍ତି ।
ବାଉଁଶ କାରିଗରୀ:
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପାଥୁରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶିଳଫାଡି ଗ୍ରାମର ରଘୁନାଥ ମହାଲି ହେଉଛନ୍ତି ଜଣେ ପାରମ୍ପରିକ ବାଉଁଶ କାରିଗର । ବର୍ତ୍ତମାନ ସେ ଦିନକୁ ୧୫୦ରୁ ୨୦୦ ଟଙ୍କା ଯାଏ ରୋଜଗାର କରୁଥିଲେ । ଟିୱାଇଏମଇ କାର୍ଯ୍ୟକ୍ରମ ଅଧୀନରେ ଆଇଟିଡିଏ ବାରିପଦା ମାଧ୍ୟମରେ ପ୍ରଶିକ୍ଷଣ ଓ ଏକ ଲକ୍ଷ୍ୟ ଟଙ୍କାର ସହାୟତା ପରେ ସେ ଫଳ ବାସ୍କେଟ୍, ପେନ୍ ଷ୍ଟାଣ୍ଡ୍, ବାଉଁଶ ଗ୍ଲାସ, ଫୁଲ ଷ୍ଟାଣ୍ଡ୍/ ଫୁଲଦାନି ଓ ଡଷ୍ଟବିନ୍ ଭଳି ଉଚ୍ଚମାନର ସାମଗ୍ରୀ ଉତ୍ପାଦନ କରିବା ସହ ନିଜ କଳାକୁ ଉନ୍ନତ କରି ଦୈନିକ ୨ ଶହରୁ ୪ ଶହ ଟଙ୍କା ରୋଜଗାର ପାଇଁ ଲକ୍ଷ୍ୟ ରଖିଛନ୍ତି।
ଆଦିବାସୀ “ଯୁବ ଉଦ୍ୟୋଗୀ” ସୃଷ୍ଟି:
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ସଚିବ ରୂପା ରୋଶନ ସାହୁ କହନ୍ତି, ଟିୱାଇଏମଇ ଗୁଡ଼ିକୁ ପ୍ରୋତ୍ସାହିତ କରିବାର ସାମଗ୍ରିକ ଉଦ୍ଦେଶ୍ୟ ହେଉଛି ଅଭାବୀ ଆଦିବାସୀ ପରିବାରର ଯୁବକମାନଙ୍କୁ କ୍ଷୁଦ୍ର ଉଦ୍ୟୋଗୀ ବା ଯୁବ ଉଦ୍ୟୋଗ ଦ୍ବାରା ସଶକ୍ତ କରିବା ଏବଂ ସେମାନଙ୍କୁ ସେମାନଙ୍କର ଜୀବିକା ଅର୍ଜନ କରିବାରେ ସକ୍ଷମ କରିବା । ଯେଉଁମାନେ କ୍ଷୁଦ୍ର ଉଦ୍ୟୋଗ ନିର୍ମାଣ ଅଭିଯାନରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିବେ।”
ଟିୱାଇଏମଇ କେବଳ ଯେ ପାରମ୍ପରିକ ଭାବନାରେ ସୀମିତ ନୁହେଁ, ବରଂ ଏହା ପାରମ୍ପରିକ ବ୍ୟବସାୟ ଏବଂ ଜୀବିକା ନିର୍ଵାହର ପନ୍ଥା ଖୋଜିବାରେ ଆର୍ଥିକ ସହାୟତା କରୁଛି ।ଏହା ଆଦିବାସୀ ଯୁବକମାନଙ୍କୁ ରୋଜଗାରକ୍ଷମ କରିବା ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଅନ୍ୟ ନୂତନ ମାର୍ଗ ଖୋଜିବାରେ ସାହାଯ୍ୟ କରିଛି ।
Comments are closed.