Latest Odisha News

BREAKING NEWS

ଆଦିବାସୀଙ୍କ କାହାଣୀ ଲେଖିବେ ଆଦିବାସୀ, ଡିଜିଟାଲ୍ ପ୍ଲାଟଫର୍ମରେ ସ୍ଥାନ ପାଇବ ଜନଜାତିଙ୍କ ସଂସ୍କୃତି

ଭୁବନେଶ୍ୱର: ଡିଜିଟାଲ୍ ପ୍ଲାଟଫର୍ମରେ ସ୍ଥାନିତ ହେବ ଜନଜାତି ଲେଖକ ଲେଖିକା ମାନଙ୍କ ଦ୍ୱାରା ଅପ୍ରକାଶିତ ପାଣ୍ଡୁଲିପି। ଡିଜିଟାଲ୍ ମାଧ୍ୟମରେ ଡାଉନଲୋଡ୍ କରି ଗବେଷକ ପାଇ ପାରିବେ ଜନଜାତିଙ୍କ ତଥ୍ୟାବଳୀ। ଏବେ ଜନଜାତି ସମାଜ ନିଜେ ନିଜର ପରମ୍ପରା, ସଂସ୍କୃତି, ଅର୍ଥନୀତି, ବିଜ୍ଞାନ, କଳା, ଦର୍ଶନ, ଭାଷାକୁ ବିଶ୍ୱ ଦରବାରରେ ପରିଚିତ କରାଇ ପାରିବେ। ଏନେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ(ଏଟିଏଲସି), ଜନଜାତି ଲେଖକ ଲେଖିକାଙ୍କୁ ନେଇ ଚାରି ଦିବସୀୟ ଜନଜାତି ଲେଖକ ସମ୍ମିଳନୀର ଆୟୋଜନ କରିଛି।

ଏହି ସମ୍ମିଳନୀ ସେପ୍ଟେମ୍ବର ୨୫ ରୁ ୨୮ ତାରିଖ ଯାଏଁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ବିଭାଗୀୟ କମିଶନର ଶ୍ରୀମତି ରୂପା ରୋଶନ ସାହୁ ଏହି ସମ୍ମିଳନୀକୁ ଉଦଘାଟନ କରି ପ୍ରଥମ ଦିନ ଆସିଥିବା ସାନ୍ତାଳୀ, ମୁଣ୍ଡାରୀ, ବିନ୍ ଝାଲ୍ ଭାଷାର ଲେଖକ ଲେଖିକାଙ୍କୁ ସ୍ୱାଗତ କରିଥିଲେ। ସେମାନଙ୍କ ରଚନାବଳୀର ପ୍ରଶଂସା କରିବା ସହ ତାଙ୍କ ଭାଷା, ସଂସ୍କୃତି, ସାହିତ୍ୟ, ବିଜ୍ଞାନ, ଦର୍ଶନ ଓ ଜ୍ଞାନକୌଶଳକୁ ବୃହତ୍ତର ସମାଜ ପାଖରେ ପହଞ୍ଚାଇବାରେ ବିଭାଗ ନେଉଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ ।

ଡିଜିଟାଲ୍ ପ୍ଲାଟଫର୍ମରେ ରଚନାବଳୀକୁ ସ୍ଥାନିତ କରିବା ପାଇଁ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଏକ ପ୍ରକାଶନ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏବେ ଆଦିବାସୀଙ୍କ କାହାଣୀ ନିଜେ ଆଦିବାସୀ ଲେଖିବେ ଫଳରେ ଗବେଷକ ତଥା ସମସ୍ତ ପାଠକଙ୍କୁ ସଠିକ୍ ତଥା ପ୍ରାମାଣିକ ସୂଚନା ମିଳିପାରିବ। ଏହା ଜନଜାତି ଭାଷା ଓ ସଂସ୍କୃତିର ବିକାଶରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ବିଭାଗୀୟ କମିଶନର। ଆଜିର ଜନଜାତି ଲେଖକ ସମ୍ମିଳନୀରେ ସାନ୍ତାଳ, ମୁଣ୍ଡାରୀ, ବିନ୍ ଝାଲ୍ ସମ୍ପ୍ରଦାୟରୁ ୨୦ଜଣ ପ୍ରତିଷ୍ଠିତ ଲେଖକ ଲେଖିକା ଯୋଗ ଦେଇଥିଲେ। ତାଙ୍କ ରଚିତ ପାଣ୍ଡୁଲିପି ସହ ପୁସ୍ତକାବଳୀ ଗୁଡିକୁ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀକୁ ବିଭାଗ ପ୍ରଦାନ କରିଛି । ସେମାନଙ୍କ ଭାଷା, ସଂସ୍କୃତିକୁ ସ୍ବୀକୃତି ଦେବା କ୍ଷେତ୍ରରେ ବିଭାଗର ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ବିଭାଗୀୟ କମିଶନର ମତ ବ୍ୟକ୍ତ କରିଛନ୍ତି।

ସମ୍ମିଳନୀରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ତଥା ଏଟିଏଲସି ସଦସ୍ୟ ସଚିବ ଇନ୍ଦ୍ରମଣୀ ତ୍ରିପାଠୀ ଉପସ୍ଥିତ ଥିଲେ। ଏହାସହ ଏକାଡେମୀର ସହ ନିର୍ଦ୍ଦେଶକ ସମରେନ୍ଦ୍ର ଭୂତିଆ, ଏକାଡେମୀର ଗବେଷଣା ସହାୟକ ଡ. ସଂଯୁକ୍ତା ମହାରଣା, ପାଞ୍ଚାଳୀ ସାହୁ, ଭାଗ୍ୟରଥି ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ସମ୍ମିଳନୀକୁ ପରିଚାଳିତ କରିଥିଲେ ବହୁଭାଷୀ ଶିକ୍ଷା ରାଜ୍ୟ ସଂଯୋଜକ ଡ. ପରମାନନ୍ଦ ପଟେଲ।

Comments are closed.