Latest Odisha News

ଆଉନାହାଁନ୍ତି ହଲିଉଡ ଲୋକପ୍ରିୟ ଅଭିନେତ୍ରୀ ମ୍ୟାଗି ସ୍ମିଥ

ନୂଆଦିଲ୍ଲୀ: ଆଉନାହାଁନ୍ତି ହଲିଉଡ ଲୋକପ୍ରିୟ ଅଭିନେତ୍ରୀ ମ୍ୟାଗି ସ୍ମିଥ l ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ ଏବଂ ଶୁକ୍ରବାର ଦିନ ସେ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ସ୍ମିଥଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କର ଦୁଇ ପୁଅ ସୂଚନା ଦେଇଛନ୍ତି। ‘ହ୍ୟାରୀ ପୋଟର୍’ ଓ ‘ଡାଉନଟନ୍ ଆବି’ ଭଳି ହଲିଉଡ ସିନେମାରେ ଅଭିନୟ କରି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିଲେ ଅଭିନେତ୍ରୀ ଡେମ ମ୍ୟାଗି ସ୍ମିଥ l

ବ୍ରିଟିଶ ମଞ୍ଚ ଏବଂ ସିନେମାର ଜଣେ ମହାନ ବ୍ୟକ୍ତିତ୍ୱ ଥିବା ଅଭିନେତ୍ରୀ ମ୍ୟାଗି ସ୍ମିଥ ନିଜ କ୍ୟାରିୟରରେ ଦୁଇ ଦୁଇଟି ଓସ୍କାର ଆୱାର୍ଡ ଜିତିଥିଲେ। ୧୯୭୦ ରେ ‘ଦି ପ୍ରାଇମ୍ ଅଫ୍ ମିସ୍ ଜାନ୍ ବ୍ରୋଡି’ ଏବଂ ୧୯୭୯ ରେ ‘କାଲିଫର୍ନିଆ ସୁଟ୍’ ପାଇଁ ଓସ୍କାର ଆୱାର୍ଡ ପାଇଥିଲେ ମ୍ୟାଗି ସ୍ମିଥ। ସେ ପ୍ରାୟ ୭୦ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ରାଜ୍ କରିଥିଲେ ଏବଂ ଲୋକପ୍ରିୟତା ହାସଲ କରିଥିଲେ । ଦୁଇଟି ଓସ୍କାର ସହ ୪ଟି ଏମି ପୁରସ୍କାରର ବିଜେତା ହୋଇଥିଲେ ମ୍ୟାଗି ସ୍ମିଥ l ଏହା ବ୍ୟତୀତ ସେ ଟ୍ରିପଲ୍ ଟନି ପୁରସ୍କାର ପାଇବାରେ ଅଳ୍ପ କିଛି ଅଭିନେତାଙ୍କ ମଧ୍ୟରୁ ଜଣେ ଥିଲେ ।

୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ମିଥ୍ ପ୍ଲେହାଉସ୍ ଥିଏଟରରେ ପ୍ରଥମେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ୧୯୫୮ରେ ସେ ପ୍ରଥମଥର ପାଇଁ ସିନେମାରେ ସୁଯୋଗ ପାଇଥିଲେ। ସେଥ୍ ହୋଲ୍ଟଙ୍କ ଥ୍ରୀଲର ‘ନୋହେର୍ ଟୁ ଗୋ’ରେ ତାଙ୍କୁ ପ୍ରଥମେ ସୁଯୋଗ ମିଳିଥିଲା। ପ୍ରଥମେ ୧୯୬୭ରେ ସ୍ମିଥ ଅଭିନେତା ରବର୍ଟ ଷ୍ଟେଫେନ୍ସକୁ ବିବାହ କରିଥିଲେ। ଖ୍ରୀଷ୍ଟଫର ଓ ଟୋବେ ନାମରେ ସେମାନଙ୍କର ଦୁଇ ଜଣ ପୁଅ ମଧ୍ୟ ଅଛନ୍ତି । କିନ୍ତୁ ୧୯୭୫ରେ ସ୍ମିଥ ଓ ରବର୍ଟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ସେହି ବର୍ଷ ସ୍ମିଥ ଲେଖକ ବେଭରେଲୀ କ୍ରସଙ୍କୁ ଦ୍ଵିତୀୟ ବିବାହ କରିଥିଲେ।

Leave A Reply

Your email address will not be published.