Latest Odisha News

ଭାରତ ଉପରେ ଅଭିଯୋଗ: ବଢିଲା ଟ୍ରୁଡୋଙ୍କ ସମସ୍ୟା, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିର୍ବାଚନ ଲାଭ ପାଇଁ ନିକଟ ଅତୀତରେ ଭାରତ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ହେତୁ ଦୁଇ ଦେଶ ମଧ୍ୟରେ ଏବେ ତିକ୍ତତା ବଢିବାରେ ଲାଗିଛି । ଖଲିସ୍ତାନୀଙ୍କୁ ଖୁସି କରିବା ପାଇଁ ଟ୍ରୁଡୋ ଭାରତ ଉପରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ ହତ୍ୟା କରିବା ଅଭିଯୋଗ ଲଗାଇଛନ୍ତି। ସେପଟେ କିନ୍ତୁ ଭାରତ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ପ୍ରାୟ ଏକ ବର୍ଷ ଧରି ଟ୍ରୁଡୋଙ୍କ ଭିତ୍ତିହୀନ ଅଭିଯୋଗ ପରେ ଭାରତ ଏହାର କୂଟନୀତିଜ୍ଞମାନଙ୍କୁ କାନାଡାରୁ ଫେରାଇ ଆଣିବା ସହ କାନାଡାର କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରିଛି । ଏହା ପରେ ମଧ୍ୟ ଟ୍ରୁଡୋ ନିଜର କାର୍ଯ୍ୟକଳାପ ବନ୍ଦ ନକରି ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ବଦନାମ କରିବାରେ ଲାଗିଛି ।

ତେବେ ନିର୍ବାଚନ ଲାଭ ପାଇଁ ଭାରତ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବା ଟ୍ରୁଡୋ ବର୍ତ୍ତମାନ ନିଜ ଦେଶରେ ସମସ୍ୟରେ ପଡିଛନ୍ତି । ଭାରତକୁ ଦୋଷ ଦେଇଥିବା ଟ୍ରୁଡୋ ବର୍ତ୍ତମାନ ନରମିଛନ୍ତି । ଏଥିସହ ସେ ନିଜେ ସ୍ୱୀକାର କରିଛନ୍ତି ଯେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତ ଉପରେ କରିଥିବା ଅଭିଯୋଗର କୌଣସି ଠୋସ୍ ପ୍ରମାଣ ନାହିଁ। ଟ୍ରୁଡୋ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେତେବେଳେ ଏହା ମୁଖ୍ୟ ଭାବରେ ଗୁଇନ୍ଦା ସୂଚନା ଆଧାରରେ ହୋଇଥିଲା । ଆମର ଅଭିଯୋଗ ଦୃଢ ପ୍ରମାଣ ଉପରେ ଆଧାରିତ ନୁହେଁ।

ସେପଟେ ଟ୍ରୁଡୋଙ୍କ ସ୍ୱୀକାର ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ କ୍ରମାଗତ ଭାବରେ କହୁଛୁ ଯେ କାନାଡାର ଅଭିଯୋଗ ମିଥ୍ୟା ଏବଂ ଏହାର କୌଣସି ପ୍ରମାଣ ନାହିଁ । ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କର ତିକ୍ତତା ପାଇଁ ଜଷ୍ଟିନ ଟ୍ରୁଡୋ ସମ୍ପୂର୍ଣ୍ଣ ଭାବେ ଦାୟୀ। ପ୍ରଥମେ ଭାରତ ଉପରେ ଅଭିଯୋଗ ଆଣିଥିବା ଟ୍ରୁଡୋ ଏବେ ନିଜ କଥାରୁ ୟୁ-ଟର୍ଣ୍ଣ ନେଇଛନ୍ତି । ଯେଉଁଥିପାଇଁ ଏବେ ନିଜ ଦେଶରେ ବଢିଛି ଟ୍ରୁଡୋଙ୍କ ସମସ୍ୟା । କାନାଡାର ଜଣେ ସାଂସଦ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛନ୍ତି । ଦେଶର ଲୋକମାନେ ଜଷ୍ଟିନ ଟ୍ରୁଡୋଙ୍କୁ ଆଉ ସହ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି ସାଂସଦ ସିନ କେସି ।

Leave A Reply

Your email address will not be published.