Latest Odisha News

ଶେଷରେ ହ୍ୱାଇଟ୍ ହାଉସରେ ପରସ୍ପରକୁ ଭେଟିଲେ ଟ୍ରମ୍ପ ଏବଂ ବାଇଡେନ୍

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ସାକ୍ଷାତ କରିଛନ୍ତି। ବାଇଡେନ୍ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ। ବୈଠକରେ ଉଭୟ କ୍ଷମତା ହସ୍ତାନ୍ତର ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନେଇ ଆଲୋଚନା ହୋଇଛି। ବାଇଡେନ୍ ଆହୁରି ମଧ୍ୟ କହିଛନ୍ତି ଯେ କ୍ଷମତା ହସ୍ତାନ୍ତର କରିବାର ଏହି ସମୟ ସମଗ୍ର ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାର ଜବାବରେ ଟ୍ରମ୍ପ କହିଛନ୍ତି ଯେ ରାଜନୀତି କଷ୍ଟକର, କିନ୍ତୁ ଏହି ପରିବର୍ତ୍ତନକୁ ସୁରୁଖୁରୁରେ କରିବାରେ ସେ ମଧ୍ୟ ଯୋଗଦାନ ଦେବେ। ତେବେ ଉଭୟ ନେତା ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାରୁ ଦୂରେଇ ରହିଥିଲେ।

ବାଇଡେନଙ୍କ ସହ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ୨୦୨୦ରେ ନିର୍ବାଚନ ହାରିବା ପରେ ଟ୍ରମ୍ପ କ୍ଷମତା ହସ୍ତାନ୍ତର ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ଅନୁସରଣ କରିନଥିଲେ। ଏଥିସହିତ ସେ ଜୋ ବାଇଡେନଙ୍କୁ ହ୍ଵାଇଟ୍ ହାଉସକୁ ନିମନ୍ତ୍ରଣ କରିବାକୁ ମନା କରିଦେଇଥିଲେ। ଏପରିକି ସେ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନଥିଲେ। କିନ୍ତୁ ଏଥର ଟ୍ରମ୍ପ ହ୍ୱାଇଟ୍ ହାଉସରେ ପହଞ୍ଚି ଏହି ପରମ୍ପରାକୁ ବଜାୟ ରଖିଛନ୍ତି।

ରାଷ୍ଟ୍ରପତି ଜୋ ବାଇଡେନ ଓ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପୁଣି ଥରେ କ୍ଷମତା ହସ୍ତାନ୍ତର ପରମ୍ପରା ଆରମ୍ଭ କରିଛି । ନିର୍ବାଚନ ଫଳାଫଳକୁ ପ୍ରତ୍ୟାଖ୍ୟାନ କରି ଟ୍ରମ୍ପ ୨୦୨୦ରେ କ୍ଷମତା ଛାଡ଼ିବା ପରେ ୪ ବର୍ଷ ପରେ ହ୍ୱାଇଟ୍ ହାଉସରେ ପାଦ ଥାପିଛନ୍ତି। ଟ୍ରମ୍ପ ଏଥର ସାତଟି ସ୍ୱିଙ୍ଗ ଷ୍ଟେଟରେ ବିଜୟୀ ହୋଇ ୩୧୨ଟି ଇଲେକ୍ଟୋରାଲ୍ ଭୋଟ୍ ପାଇ କ୍ଷମତାକୁ ଫେରିଥିବା ବେଳେ ଉପରାଷ୍ଟ୍ରପତି କମଳା ହାରିସ୍ ୨୨୬ ଖଣ୍ଡ ଭୋଟ୍ ପାଇଛନ୍ତି। ରାଷ୍ଟ୍ରପତି ବାଇଡେନ ନଭେମ୍ବର ୬ ରେ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇବା ସହ ହ୍ୱାଇଟ ହାଉସ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ ।

Comments are closed.