ନୂଆଦିଲ୍ଲୀ:ହାମାସକୁ ଶେଷ ଚେତାବନୀ ଶୁଣାଇ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହାମାସ୍ ଯେଉଁସବୁ ଆମେରିକୀୟଙ୍କୁ ବନ୍ଧକ ରଖିଛି, ତୁରନ୍ତ ସେମାନଙ୍କୁ ମୁକ୍ତ କରୁ । ଯେଉଁମାନଙ୍କୁ ହତ୍ୟା କରିଛି, ତୁରନ୍ତ ସେମାନଙ୍କ ମୃତଦେହ ହସ୍ତାନ୍ତର କରୁ । ପରେ ନୁହେଁ, ତୁରନ୍ତ ଏସବୁ ହାମାସ୍ କରୁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ପ୍ରଥମ ଥର ପାଇଁ ଟ୍ରମ୍ପ ପ୍ରଶାସନ ହାମାସ୍ ସହ ସିଧାସଳଖ କଥା ହୋଇଛି । ଆଉ ଏହା ପରେ ସୋସିଆଲ୍ ସାଇଟରେ ଏମିତି ଚେତାବନୀ ଦେଇଛନ୍ତି ନିଜେ ରାଷ୍ଟ୍ରପତି ଟ୍ରମ୍ପ ।
ଟ୍ରମ୍ପ କହିଛନ୍ତି, ଯଦି ଏହା ନହୁଏ, ତେବେ ହାମାସ୍ ପାଇଁ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ । ଦରକାର ପଡ଼ିଲେ ହାମାସ୍ ସଫା ହୋଇଯାଇ ପାରେ ବୋଲି କହିଛନ୍ତି ଟ୍ରମ୍ପ । ଇସ୍ରାଏଲ ଗୁଇନ୍ଦା ବିବାଗର ସୂଚାନ ଅନୁଯାୟୀ ବର୍ତ୍ତମାନ ହାମାସ୍ ୫୯ ଜଣଙ୍କୁ ବନ୍ଧକ ରଖିଛି । ସେମାନଙ୍କ ମଧ୍ୟରୁ ୨୨ ଜଣ ଜୀବୀତ ଥିବା ବେଳେ ୫ ଜଣ ଆମେରିକୀୟ ବୋଲି ସୂଚନା ଦେଇଛି ଇସ୍ରାଏଲୀ ଗୁଇନ୍ଦା ବିଭାଗ । ବନ୍ଧକଙ୍କ ମଧ୍ୟରେ ଥିବା ଆମେରିକା ନ୍ୟୁଜର୍ସିର ୨୧ ବର୍ଷୀୟ ଇଦାନ୍ ଆଲେକଜାଣ୍ଡାରଙ୍କ ଅବସ୍ଥା ଭଲ ନଥିବା ଜଣାପଡ଼ିଛି ।
୨୦୨୩ ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲରେ ଅତର୍କିତ ଆକ୍ରମଣ କରିଥିଲା ହାମାସ୍ । ସେତେବେଳେ ଇସ୍ରାଏଲରୁ ଅଢ଼େଇ ଶହରୁ ଅଧିକ ଲୋକଙ୍କୁ ଅପହରଣ କରିନେଇ ବନ୍ଧକ ରଖିଥିଲା । ପର୍ଯ୍ୟାୟକ୍ରମେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଛାଡ଼ିଥିବା ବେଳେ ଏବେ ବି ୫୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଛି ।
Comments are closed.