ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’
ଆଜି କାଲି ସୋସିଆଲ ମିଡ଼ିଆ ହେଉ କି ଟିଭି ଅବା ଖବର କାଗଜ ଖୋଲି ଦେଲେ ଦାମ୍ପତ୍ୟ ଜୀବନରେ କଳହ ଆଉ ବେଳେ ବେଳେ ତାର କରୁଣ ପରିଣତି ଦେଖିବାକୁ ଆଉ ଶୁଣିବାକୁ ମିଳୁଛି । କେଉଁଠି ସ୍ଵାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ଆଉ କେଉଁଠି ସ୍ତ୍ରୀ ହତ୍ୟାକାରୀ ସାଜୁଛି । ଆଉ କେଉଁ ଜାଗାରେ ଛାଡ଼ପତ୍ର ମଧ୍ୟ ଦେଖା ଦେଉଛି । ଛୋଟ କାରଣର ଅର୍ଥ ନବାହାରି ପାରି ଅନର୍ଥରେ ପରିଣତ ହେଉଛି । ଛାଡ଼ପତ୍ର ପରିସଂଖ୍ୟାନ ଅନୁଯାୟୀ କୋଡ଼ିଏ ପ୍ରତିଶତ ବିବାହର ପାଞ୍ଚ ବର୍ଷ ପରେ, ତେତିଶ ପ୍ରତିଶତ ଦଶ ବର୍ଷ ପରେ , ତେୟାଳିଶ ପ୍ରତିଶତ ପନ୍ଦର ବର୍ଷ ପରେ ହୋଇଥାଏ । ଆଉ ଜଣେ ବରିଷ୍ଠ ପାରିବାରିକ କାଉନସେଲରଙ୍କ ମତ ଅନୁଯାୟୀ ଛାଡ଼ପତ୍ରର କାରଣ ଛୋଟ ଛୋଟ ଭୁଲ ବୁଝାମଣାରୁ ଆରମ୍ଭ ହୋଇଥାଏ ।
ସ୍ଵାମୀ ଆଉ ସ୍ତ୍ରୀ ଏମିତି ଏକ ସମ୍ପର୍କ ଯାହା ରକ୍ତ ସମ୍ପର୍କ ନୁହେଁ କିନ୍ତୁ ପରସ୍ପର ଭଲପାଇବା, ପରସ୍ପର ପ୍ରତି ସମ୍ମାନ ଆଉ ବିଶ୍ୱାସ ଏଇ ସମ୍ପର୍କକୁ ଆଗକୁ ବଢ଼େଇ ନେଇଚାଲେ । କିନ୍ତୁ ଆଜିକାଲି ଏଇ ସମ୍ପର୍କରେ ହିଂସା ବଢ଼ିଚାଲିଛି । କିଏ ଯଦି କିଛି କରୁଛି କିମ୍ବା ତା’ର ସେଇ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଉଛି ତାହେଲେ ସେଇ ଜାଗାରେ ସ୍ଵାମୀ ହେଉ କି ସ୍ତ୍ରୀ ଆଜିକାଲି ଛାଡ଼ପତ୍ର ଭଳି ବଳିଷ୍ଠ ପଦକ୍ଷେପ ନେବାକୁ ବ୍ୟଗ୍ରତା ପ୍ରକାଶ କରୁଛନ୍ତି । ଏହାର ନିରାକରଣ ପାଇଁ ସବୁଠାରୁ ସରଳ ଉପାୟ ମନସ୍ତତ୍ତ୍ୱବିଦମାନଙ୍କ ମତରେ ହେଉଛି ଯେ ପ୍ରଥମେ ପରସ୍ପରକୁ ବୁଝିବା ।
ଆଗରୁ ଆମେ ଆମ ପରିବାରରେ ଆମ ଜେଜେମା, ମା, ଶାଶୁଙ୍କୁ ଦେଖିଆସିଛେ । ମାଆ ଆଉ ଶାଶୁମାନେ ଉଚ୍ଚଶିକ୍ଷିତା ହେଲେ ମଧ୍ୟ ସବୁ କଥାରେ ପରିବାରରେ ବୁଝାମଣାରେ ହିଁ ସମ୍ପର୍କକୁ ମଜବୁତ କରିଥାନ୍ତି । ବିଶେଷ କରି ଆମେମାନେ ଦେଖିଆସିଛେ ଯେ ମାଆମାନେ ହିଁ ଏ କ୍ଷେତ୍ରରେ ଆଗୁଆ ରହିଥାନ୍ତି । ତେଣୁ ସମସ୍ୟା ଆଉ ଆଗକୁ ବଢିନଥାଏ । କିନ୍ତୁ ଏବେ ଆଉ ଦମ୍ପତିମାନେ ଏ ଦିଗରେ ନିଜ ଆଡ଼ୁ ପ୍ରୟାସ କରୁନାହାନ୍ତି । ଏବେ ଉଭୟ ସ୍ଵାମୀ ଓ ସ୍ତ୍ରୀ ଦୁଇ ଜଣ ସମାନ ରୋଜଗାର । ଦୁଇ ଜଣଙ୍କ ଶିକ୍ଷା ମଧ୍ୟ ସମାନ ; ତାହେଲେ ସ୍ୱାଭାବିକ କଥା କିଏ କାହିଁକି ବୁଝାମଣା କରିବ । ସ୍ତ୍ରୀଟିଏ ମଧ୍ୟ ନିଜ ପାଇଁ ସମାନ ସମ୍ମାନ ପରିବାରରେ ଚାହେଁ ଆଉ ସ୍ଵାମୀ ଯଦି ସେଥିରେ ସହଯୋଗ ନକରେ ତାହେଲେ ସମସ୍ୟା ଜଟିଳ ହୋଇଯାଏ ।ଏବେ ଏଇ ସମସ୍ୟାଟି ବଡ଼ ସମସ୍ୟା ରୂପେ ପ୍ରକଟ ହୋଇଛି ।
ସାଧାରଣ ଭାବରେ ଆମେ ଯଦି ଜଣେ ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷଙ୍କୁ ପଚାରିବା ଏ ବାବଦରେ, ତାହେଲେ ତାଙ୍କ ମତ ରହିବ ଯେ ସମାଧାନର ବାଟ ସବୁବେଳେ ସ୍ତ୍ରୀ ଆଉ ସ୍ଵାମୀ ଉପରେ ଛାଡ଼ିଦେବା କଥା । ଉଭୟ ଉଭୟଙ୍କୁ ବୁଝିବା ଦରକାର । ନୂଆ ନୂଆ ବିବାହ କରିଥିବା ଦମ୍ପତିମାନଙ୍କ ପାଖରେ କେହି କାହା କୁ ସମୟ ନଦେବା ଫଳରେ ଦୂରତା ବଢ଼ୁଛି ଆଉ ଏଇ ଦୂରତା ମଧ୍ୟ ଛାଡ଼ପତ୍ରର ବଡ଼ କାରଣ ସାଜୁଛି ବୋଲି ଡ଼କ୍ଟର ନିହାରିକା (ଫ୍ୟାମିଲି କାଉନସେଲର) ଙ୍କ ମତ । ଡକ୍ଟର ନିହାରିକାଙ୍କ ମତରେ ମଧ୍ୟ ଆଜି କାଲି ଯୁବଗୋଷ୍ଠୀ ବାହାଘର ପୂର୍ବରୁ ପବ ଯିବା, ପ୍ରିମାରିଟେଲ ସେକ୍ସ ଓ ପ୍ରଚୁର ମାତ୍ରାରେ ମଦ ପିଇବା ଯାହା କି ବିବାହ ପରେ ମଧ୍ୟ ଅଫିସ ଚାପ ହେଉ କି ଅନ୍ୟ ଚାପରୁ ଟିକେ ହାଲକା ହେବା ପାଇଁ ଏ ସବୁକୁ ଆଉ ଛାଡିପାରିନଥାନ୍ତି । ଯାହାର ଫଳ ସ୍ୱରୂପ ବିବାହ ପରେ ପ୍ରି- ମାରିଟାୟାଲ ଆଫେୟାରଟା ଏକ୍ସଟ୍ରା ମାରିଟେଲ ଆଫେୟାରରେ ପରିଣତ ହୁଏ ଆଉ ସେଇ ଜାଗାରେ ଛାଡ଼ପତ୍ରର ସମ୍ଭlବନା ଅଧିକ ବଢ଼ିଯାଏ । ଆଗରୁ ମହିଳାମାନେ ଆତ୍ମନିର୍ଭରଶିଳ ନଥିଲେ ତେଣୁ ତାଙ୍କ ପାଖରେ ସବୁ କିଛିକୁ ସହିବା ଏକ ମାତ୍ର ଚାରା ଥିଲା । କିନ୍ତୁ ସମୟ ସାଙ୍ଗରେ ଏବେ ମହିଳାମାନେ ଆଗକୁ ଆସୁଛନ୍ତି । ତେଣୁ ସବୁ କଥାକୁ ବା ସେମାନେ କାହିଁକି ସହି ରହିବେ , ଏହା ଏବେ ବଡ଼ ପ୍ରଶ୍ନ !
ଖାଲି ସ୍ତ୍ରୀ କଥା କହିଲେ ହେବ ନାହିଁ ସ୍ଵାମୀକୁ ମଧ୍ୟ ସେତିକି ବୁଝିବା ଦରକାର । ଆପୋଷ ବୁଝାମଣା ହିଁ ଏଇ ସମସ୍ୟାର ବଡ଼ ସମାଧାନ । ଆଜିକାଲି ପ୍ରି ମ୍ୟାରେଜ କାଉନସେଲିଂର ବ୍ୟବସ୍ଥା ମଧ୍ୟ ସବୁ ଜାଗାରେ ଉପଲବ୍ଧ । ତେଣୁ ଦକ୍ଷ ସ୍ୱୀକୃତିପ୍ରାପ୍ତ କାଉନସେଲରଙ୍କ ସାଙ୍ଗରେ ମଧ୍ୟ ବିବାହ ପୂର୍ବରୁ ଉଭୟ ଝିଅ ଆଉ ପୁଅ ଉଚିତ ପରାମର୍ଶ ନେଇପାରିବେ । ଏମିତି କିଛି କଥାକୁ ନଜରକୁ ଆଣିପାରିଲେ ଛାଡ଼ପତ୍ରର ସଂଖ୍ୟା କମିବ ଆଉ ସମ୍ପର୍କରେ ବିଶ୍ୱାସ ଆଣିବାରେ ଉଭୟ ସ୍ଵାମୀ, ସ୍ତ୍ରୀଙ୍କର ସହଭାଗିତା ରହିପାରିବ । ।ଫଳରେ ସୁସ୍ଥ ଦାମ୍ପତ୍ୟ ପାଇଁ ସମାଧାନର ବାଟ ଆପେ ଆପେ ଖୋଲିଯିବ ।
Comments are closed.