Latest Odisha News

ତୁର୍କୀ-ସିରିଆ ଭୂମିକମ୍ପ; ମୃତ୍ୟୁ ସଂଖ୍ୟା ୨୪ ହଜାର ପାର୍, ଭାରତ ପଠାଇଲା ଔଷଧ

ଇସ୍ତାନବୁଲ: ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ହୋଇଥିବା ଭୂମିକମ୍ପରେ ଛାର୍‌ଖାର ହୋଇଯାଇଥିବା ତୁର୍କୀ ଓ ସିରିଆରେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି। ଭୁଶୁଡ଼ି ପଡ଼ିଥିବା କୋଠାର ଧ୍ୱଂସସ୍ତୁପ ତଳୁ ଉଦ୍ଧାର ହେଉଛନ୍ତି ମୃତ ଓ ଜୀବିତ। ଏଭଳି କରୁଣ ପରିସ୍ଥିତି ଭିତରେ ତୁର୍କୀ ଓ ସିରିଆରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୨୪ ହଜାର ପାର୍ କରିଛି। ତୁର୍କୀ ସରକାର ଏହାକୁ ଶତାବ୍ଦୀର ସବୁଠାର ବଡ଼ ଭୂମିକମ୍ପ ବୋଲି କହିସାରିଛନ୍ତି।

ଭୂମିକମ୍ପକୁ ପାଖାପାଖି ୧୦୦ ଘଣ୍ଟା ବିତିଗଲାଣି। ଏବେ ବି ଭୁଶୁଡ଼ିପଡ଼ିଥିବା ଘରର କାନ୍ଥ ତଳେ ଚାପି ହୋଇ ରହିଛି ଜୀବନ। ଯାହାକୁ ଉଦ୍ଧାର କରିବାକୁ ଲାଗିଛନ୍ତି କିଛି ଦେଶ। ଏପଟେ ବରଫପାତ ସାଙ୍ଗକୁ ପ୍ରବଳ ଥଣ୍ଡା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଗତକାଲି ହଟୱେ ରାଜ୍ୟର ସମାନ୍ଦଗ ଜିଲ୍ଲାରେ ୯୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଜଣେ ମହିଳାଙ୍କ ସହ ତାଙ୍କ ୧୦ ବର୍ଷର ନାବାଳକୁ ଉଦ୍ଧାର କରାଯାଇଥିଲା।

ସେହିପରି ୯୫ ଘଣ୍ଟା ପରେ ୮ ବର୍ଷର ନାବାଳିକା ଆୟଶା ଡୋନମେଜ୍‌ଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଭାରତର ଏନ୍‌ଡିଆର୍‌ଏଫ୍‌ ତାଙ୍କୁ ଉଦ୍ଧାର କରିଛି। ଅନ୍ୟପଟେ ୧୭ ବର୍ଷର ନାବାଳକ କେମିତି ପରିସ୍ରା ପିଇ ମାଟି ତଳେ ବଞ୍ଚୁଥିଲା ଉଦ୍ଧାର ପରେ ସେ ତାର ସଂଘର୍ଷର କାହାଣୀ ବର୍ଣ୍ଣନା କରିଛି। ତେଣୁ ଏହିଭଳି ଧ୍ୱଂସସ୍ତୁପ ତଳେ ଆହୁରି କେତେ ଯେ ଜୀବନ ଚାପି ହୋଇ ରହିଛି ସେହି ଆଶାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅନ୍ୟପଟେ ଭାରତ ତୁର୍କୀ ଓ ସିରିଆକୁ ୬.୧୯ ଟନ୍‌ ଓଜନର ୮୪୧ କାର୍ଟୁନ ଔଷଧ, ସୁରକ୍ଷା ଉପକରଣ ଡାଇଗ୍ନୋଷ୍ଟିକ୍ କିଟ୍ସ ପଠାଇଛି। ଅପରେସନ ଦୋସ୍ତରେ ଭାରତ ପକ୍ଷରୁ ୬ ଟି ବିମାନ ସାହାଯ୍ୟ ନେଇ ତୁର୍କୀ ପହଞ୍ଚିଛି।

ଭୂମିକମ୍ପ ଅପଡେଟ୍-
ତୁର୍କୀ-ସିରିୟାରେ ମୃତ୍ୟୁ ସଂଖ୍ୟା ୨୪ ହଜାର ପାର୍।
୮୭୦,୦୦୦ବିପନ୍ନଙ୍କୁ ତୁରନ୍ତ ଖାଦ୍ୟ ଆବଶ୍ୟକ ବୋଲି କହିଲା ଜାତିସଂଘ।
କେବଳ ସିରିଆରେ ୫.୩ ମିଲିୟନ ଲୋକ ହୋଇପାରନ୍ତି ବାସହୀନ

 

 

Comments are closed.