ନୂଆଦିଲ୍ଲୀ: କୋଲକାତା ବିମାନବନ୍ଦରରେ ଏକ ଅନ୍ତର୍ଜାତୀୟ ତୁର୍କୀସ୍ ଏୟାରଲାଇନ୍ସର ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିବା ସୂଚନା ମିଳିଛି।
ତେବେ ୨୩୬ ଜଣ ଯାତ୍ରୀ ବିଶିଷ୍ଟ ଏହି ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ମଝି ରାସ୍ତାରେ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଥିବା ପାଇଲଟ୍ ସନ୍ଦେହ କରିଥିଲେ ଓ କୋଲକାତା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) କୁ ଇଞ୍ଜିନ୍ ସମସ୍ୟା ବିଷୟରେ ଜଣାଇଥିଲେ। ଯାହାପରେ କର୍ତ୍ତୃପକ୍ଷ ତୁରନ୍ତ ଜରୁରୀକାଳୀନ ଅବତରଣ କରାଇଥିଲେ। ବୁଧବାର ଦିନ ୨:୪୯ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର (NSCBI) ରେ ଏହି ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା।
ସୂଚନା ଅନୁଯାୟୀ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବିମାନର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଉଥିବା ମଧ୍ୟ କୁହାଯାଉଛି। ଇଞ୍ଜିନରେ ପ୍ରକୃତରେ ନିଆଁ ଲାଗିଥିଲା କି ଏହା କେବଳ ଏକ ଚେତାବନୀ ସଙ୍କେତ ଥିଲା ତାହା ନିର୍ଣ୍ଣୟ କରିବା ପାଇଁ ବିମାନର ଏକ ବୈଷୟିକ ଯାଞ୍ଚ କରାଯାଉଥିବା ନେଇ NSCBI ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଉଡ଼ାଣ ସମୟରେ ଇଞ୍ଜିନ୍ ସମ୍ବନ୍ଧୀୟ ଯେକୌଣସି ଚେତାବନୀକୁ ଗମ୍ଭୀରତାର ସହ ନିଆଯାଇଥିଲା ଓ ପାଇଲଟ୍ଙ୍କ ସତର୍କତା ଏବଂ ସମୟୋଚିତ ନିଷ୍ପତ୍ତି ଦ୍ଵାରା ଏକ ସମ୍ଭାବ୍ୟ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି ବୋଲି ଏୟାର ଲାଇନ୍ସ ତରଫରୁ କୁହାଯାଇଛି। ଅପରପକ୍ଷରେ ଯାତ୍ରୀମାନଙ୍କୁ ବିକଳ୍ପ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।