Latest Odisha News

ଲାଇଭ ଟେଲିକାଷ୍ଟରେ ଆଙ୍କରଙ୍କୁ ପ୍ରପୋଜ କଲେ ରିପୋର୍ଟର

ୱାଶିଂଟନ: ପ୍ରେମର କିଛି ସୀମା, ସରହଦ ନାହିଁ । କେଉଁଠି ,କେତେବେଳେ ଓ କେଉଁଭଳି ପରିସ୍ଥିତିରେ ପ୍ରେମ ହୋଇଯାଏ, ତାହା ସମସ୍ତଙ୍କୁ ଅଜଣା । ଆଧୁନିକ ସମାଜରେ ପ୍ରେମମାନିଆ ଏବେ ଖୁବ୍ ଚର୍ଚ୍ଚାରେ । ଅର୍ଥାତ୍ ଏବର ଯୁବପିଢି ନିଜର ପ୍ରେମ ଜାହିର ପାଇଁ କିଛି ବି କରିପାରନ୍ତି । ଏମିତି ଏକ ଘଟଣା ଘଟିଛି ଆମେରିକାର ଏକ ଟିଭି ଲାଇଭ୍ ଶୋରେ ।

ଆମେରିକୀୟ ଏନବିସି ନ୍ୟୁଜ ଚ୍ୟାନେଲର ଏକ ସହଯୋଗୀ ଡବ୍ଲୁଆରସିବି-ଟିଭିରେ କର୍ଣ୍ଣେଲିଆ ନିକୋଲସନ ନ୍ୟୁଜ ଆଙ୍କର ଭାବେ କାମ କରନ୍ତି । ସେ ରେଲି ନାଗେଲ ନାମକ ଜଣେ ସାମ୍ବାଦିକଙ୍କୁ ଭଲ ପାଉଥିଲେ । ନିକଟରେ ନ୍ୟୁଜ ଟିଭି ଚ୍ୟାନେଲର ଲାଇଭ ଟେଲିକାଷ୍ଟ ଚାଲିଥିଲା । ଏହି ସମୟରେ କର୍ଣ୍ଣେଲିଆ ନ୍ୟୁଜ ପଢୁଥିଲେ । ତାଙ୍କ ପ୍ରେମିକ ରେଲି ସେଠାରେ ଉପସ୍ଥିତ ଥିଲେ । ଲାଇଭ ନ୍ୟୁଜ ସମୟରେ ରେଲି ସାମ୍ନାକୁ ଆସିଥିଲେ । ତାଙ୍କ ହାତରେ ଗୋଟିଏ ପୁଷ୍ପଗୁଚ୍ଛ ଏବଂ ଗୋଟିଏ ରିଙ୍ଗ ଥିଲା । ସେ ସିଧାସଳଖ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଆଗରେ ଆଣ୍ଠୁମାଡି କର୍ଣ୍ଣେଲିଆଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିରେ ସେ ରାଜି ହୋଇଥିଲେ । ପରେ ଦୁହେଁ ଖୁସିରେ କାନ୍ଦିବାକୁ ଲାଗିଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ରିଲେ ନାଗେଲ ତାଙ୍କ ଗର୍ଲଫ୍ରେଣ୍ଡ କର୍ଣ୍ଣେଲିଆଙ୍କୁ ପ୍ରସ୍ତାବ ଦେବାବେଳେ କହିଥିଲେ ଯେ, ମୋର ସମସ୍ତଙ୍କ ପାଇଁ ଏକ ବିଶେଷ ରିପୋର୍ଟ ଅଛି । ଯେଉଁମାନେ ମୋତେ ଦେଖୁଛନ୍ତି ସେମାନେ ହୁଏତ ଜାଣି ନ ଥିବେ । ମୁଁ ଏବଂ କର୍ଣ୍ଣେଲିଆ ୪ ବର୍ଷ ପୂର୍ବେ ମୋଣ୍ଟାନାଠାରେ ଏକ ନ୍ୟୁଜ ସୋ’ରେ ସାକ୍ଷାତ ହୋଇଥିଲୁ । ଯେତେବେଳେ ମୁଁ ପ୍ରଥମ ଥର କର୍ଣ୍ଣେଲିଆଙ୍କୁ ଭେଟିଲି, ସେତେବେଳେ ମୁଁ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲି । ସେ ବହୁତ ସୁନ୍ଦର ଓ ଖୁସି ପ୍ରକୃତିର । ଯେତେବେଳେ ବି ସେ ମୋ ଚାରିପାଖରେ ରୁହନ୍ତି ମୋତେ ବହୁତ ଭଲ ଲାଗେ ।

Leave A Reply

Your email address will not be published.