Latest Odisha News

BREAKING NEWS

ବିନା ଅନୁମତିରେ ବସ୍ ଚଳାଉଥିଲେ, ଗଣିଲେ ୨୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ଜଣେ ଟ୍ୱିଟର ୟୁଜରଙ୍କ ତତ୍ପରତା ଓ ନିର୍ଣ୍ଣାୟକ ପଦକ୍ଷେପ ଫଳରେ ପୁରୀସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଜଣେ ବସ୍ ମାଲିକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ସହ ବିନା ପରମିଟରେ ଗାଡ଼ି ଚଳାଇବା ପାଇଁ ୨୦ ହଜାର ୫୦୦ ଟଙ୍କା ମୋଟା ଅଙ୍କର ଜରିମାନା ଆଦାୟ କରିଛି।

ଜଣେ ଟ୍ୱିଟର୍ ୟୁଜର ଓଡ଼ିଶାରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ସହିତ ବସର କିଛି ତଥ୍ୟ ସେୟାର କରିଛନ୍ତି। ପୁରୀରେ ରହୁଥିବା ସମ୍ପୃକ୍ତ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ଆରଖୁଡାରୁ ପୁରୀ ରୁଟରେ ବିନା ପରମିଟରେ 0R 09 R 1810 ନମ୍ବର ବିଶିଷ୍ଟ ବସ ଚଳାଚଳ କରୁଛି।

ଏହି ସୂଚନା ପାଇବା ପରେ ଓଡ଼ିଶାର ପରିବହନ କମିସନର ଅମିତାଭ ଠାକୁର ତୁରନ୍ତ ପୁରୀ ଆରଟିଓଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତଦନ୍ତ ବେଳେ ପୁରୀ ଆରଟିଓ ସୁନିଶ୍ଚିତ କରିଥିଲେ ଯେ, ପ୍ରକୃତରେ ବିନା ପରମିଟରେ ବସଟି ଚାଲୁଛି। ଏହା ବ୍ୟତୀତ, ବସରେ ଥିବା କଣ୍ଡକ୍ଟରଙ୍କ ପାଖରେ ବୈଧ କଣ୍ଡକ୍ଟର ଲାଇସେନ୍ସ ନାହିଁ। ଏସଟିଏ ପକ୍ଷରୁ ଏହି ସୂଚନା ମିଳିଛି।

ଫଳରେ ପୁରୀ ଆରଟିଓ ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ବସ୍ ମାଲିକଙ୍କୁ ୨୦ ହଜାର ୫୦୦ ଟଙ୍କାର ଚାଲାଣ କାଟିଥିଲେ। ବିନା ପରମିଟରେ ଗାଡ଼ି ଚଳାଇବା, କଣ୍ଡକ୍ଟରଙ୍କ ପାଖରେ ବୈଧ ବା ଅବଧି ଶେଷ ହୋଇଥିବା କଣ୍ଡକ୍ଟର ଲାଇସେନ୍ସ୍ ଥିବା ଏବଂ ସାଧାରଣ ଭାବେ ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

୫-ଟି ପଦକ୍ଷେପ ଅନ୍ତର୍ଗତ ନାଗରିକ କୈନ୍ଦ୍ରିକ ଅଭିଯୋଗ ସମାଧାନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାରେ ଏସଟିଏ ସମସ୍ତ ଅଭିଯୋଗର ଅନୁଧ୍ୟାନ କରୁଛି ଏବଂ ମୋଟର ଯାନ ନିୟମ ଉଲ୍ଲଙ୍ଘନ କରିଥିବା ଗାଡ଼ି ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଟିଏ କହିଛି।

Comments are closed.