Latest Odisha News

ଆନ୍ଧ୍ରପ୍ରଦେଶରୁ ମାଙ୍କଡ଼ ଆଣି ଓଡ଼ିଶା ସୀମାରେ ଛାଡୁଥିଲେ ଦୁଇ ଯୁବକ; ବନ ବିଭାଗ କଲା ଗିରଫ

ବ୍ରହ୍ମପୁର: ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରକାକୁଲମରୁ ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ ଅଞ୍ଚଳକୁ ମାଙ୍କଡ଼ ଆଣି ଛଡ଼ା ହେଉଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ ମଧ୍ଯ କରାଯାଇଛି। ଅଭିଯୁକ୍ତ ଦୁଇଜଣ ହେଲେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ପି. ନାଗରାଜୁ (୨୩) ଏବଂ ଏଲୁରୁ ଜିଲାର ରମେଶ ସିଂ (୨୦) ।

ବନ ବିଭାଗ ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଏହି ଦୁଇ ଜଣ ଏକ ଅଟୋରେ ଅତି ଅମାନୁଷିକ ଭାବେ ବସ୍ତାରେ ମାଙ୍କଡ଼ ଭର୍ତି କରି ପାତ୍ରପୁର ବ୍ଲକ ତୁମ୍ବା ଆଡକୁ ଯାଉଥିଲେ। ଜରଡ଼ା ଛକରେ ମାଙ୍କଡ଼ର ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ସନ୍ଦେହରେ ଗାଡ଼ିକୁ ଅଟକାଇ ଥିଲେ।

ଏହି ସମୟରେ ମାଙ୍କଡ଼ ମାନଙ୍କୁ ଦୟନୀୟ ଅବସ୍ଥାରେ ୮ଟି ବସ୍ତାରେ ବାନ୍ଧି ରଖାଯାଇ ଥିବା ଜାଣିବାକୁ ପାଇ ବନ ବିଭାଗକୁ ଖବର ଦିଆଯାଇଥିଲା। ଅଧିକାରୀ ମାନେ ପହଞ୍ଚି ତଦନ୍ତ କରିଥିଲେ। ୮ଟି ବସ୍ତାରେ ୧୫ ଗୋଟି ମାଙ୍କଡ଼ ଥିବା ବେଳେ ୧୦ଟି ମାଙ୍କଡ଼ର ମୃତ୍ୟୁ ହୋଇଯାଇଥିଲା।

ସେହିଭଳି ଜୀବିତ ମାଙ୍କଡ଼ ୫ଟିକୁ ଚିକିତ୍ସା ପରେ ଛାଡି ଦିଆଯାଇଥିଲା। ଏହି ଘଟଣାରେ ବୋଝେଇ ଅଟୋ ଏବଂ ମାଙ୍କଡ଼ ଧରିବା ପାଇଁ ବ୍ୟବହାର ହୋଇଥିବା ଜାଲ ଜବତ କରାଯାଇଛି ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ସୁଚନା ଦେଇଛନ୍ତି।

ବନ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯେଉଁ ଅଞ୍ଚଳରେ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ଦେଖା ଦେଇଥାଏ । ଅଭିଯୁକ୍ତ ମାନେ ସେଠାରେ ମାଙ୍କଡ଼ ଧରନ୍ତି। ତାକୁ ଆଣି ପାତ୍ରପୁର ବ୍ଲକର ତୁମ୍ବା ଅଞ୍ଚଳରେ ଛାଡୁଛନ୍ତି। ଏଥିପାଇଁ ସେମାନେ ପାରିଶ୍ରମିକ ନିଅନ୍ତି ।

ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି । ଗିରଫ ଅଭିଯୁକ୍ତଙ୍କ ସଫେଇ ସତ କି ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ବ୍ୟାଗ୍ ଭିତରେ ପ୍ରାୟ ୧୦ ଘଣ୍ଟା ରହିବା ଯୋଗୁଁ ଶ୍ଵାସ ରୁଦ୍ଧରେ ୧୦ଟି ମାଙ୍କଡ଼ର ମୃତ୍ୟୁ ହୋଇଥିବା ଡିଏଫ୍ଓ ନାୟକ ପ୍ରକାଶ କରିଛନ୍ତି। ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି।

Section 9 in The Wild Life (Protection) Act, 1972 ରେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Comments are closed.